କେନ୍ଦୁଝର,୧୨/୧୧ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ପରିବାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।(ଓଡ଼ିଜିର-୪-୭୫୪୭) ନାମକ ଏକ ଟ୍ରକ ପାରାଦୀପ ଠାରୁ ଲୁହାପଥର ବୋଝେଇ ନିମନ୍ତେ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ଚାଳକଙ୍କ ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୨ଘଟିକା ସମୟରେ ପିଟାପିଟି ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଡ୍ରେନକୁ ଡେଇଁ ଏସଆର ପାଇପକୁ ଧକ୍କା ଦେଇଥିଲା।ଧକ୍କା ହେବା ଫଳରେ ଚାଳକ ଜଣଙ୍କ ଗାଡି ମଧ୍ୟରେ ଚାପି ହୋଇ ରହିଯାଇଥିଲେ।
ଧକ୍କାର ଶବ୍ଦ ଶୁଣି ଗ୍ରାମର ଯୁବକମାନେ ଘଟଣାସ୍ଥଳରେ ପହଁଞ୍ଚି ଗାଡ଼ିକୁ କଟର ମେସିନ ଦ୍ବାରା କାଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକ ଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉକ୍ତ ଗାଡ଼ିଟି ପାରାଦୀପ ଅଞ୍ଚଳର ପଦ୍ମ ଚରଣ ସେଠୀଙ୍କ ହୋଇଥିବା ବେଳେ ଚାଳକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଧପୁର ଥାନା ବେଗୁନିଆପାଳ ଗ୍ରାମର ଲୋକନାଥ ମୁଦୁଲି ବୋଲି ଜଣାପଡିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ସରକାରୀସ୍ତରରେ ରୋକ୍ ଲଗାଯାଇଥିବା ବେଳେ କିପରି ଏହି ରାସ୍ତାରେ ଭାରିଯାନ ଚଳାଚଳ ବୃଦ୍ଧି ପାଉଛି।ତାହାକୁ ନେଇ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି।ଏଥିଲାଗି ହରିଚନ୍ଦନପୁର ଅଞ୍ଚଳବାସୀଙ୍କ ଦିନକୁ ଦିନ ଅସନ୍ତୋଷ ଦେଖିବାକୁ ମିଳିଛି ।