ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଚଳିତ ଡିସେମ୍ବର ମାସ ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଧୁମ୍ଧାମ୍ରେ ପାଳିତ ହେବ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ । ଆସନ୍ତା ଶୁକ୍ରବାର ଏବଂ ଶନିବାର ପାଳିତ ହେବାକୁ ଥିବା ଏହି ରଜତ ଜୟନ୍ତୀ ସମାରୋହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ଗତକାଲି ସୁବର୍ଣା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ଓ ସଂପାଦିକା ମଞ୍ଜୁଳା ମିଶ୍ର ।
ଶୁକ୍ରବାର ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ରଜତ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବାକୁ ଥିବା ବେଳେ ଉକ୍ତ ଦିନ ଏକ ବହୁଭାଷୀ କବିତା ଆସର ର ଆୟୋଜନ ହେବ । ଶନିବାର ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ନିବେଦିତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କୋସଲୀ କବି ପଦ୍ମଶ୍ରୀ ହଳଧର ନାଗ ,ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ଯୋଗ ଦେବାପାଇଁ ସମ୍ମତି ଜଣାଇଛନ୍ତି । ଏହି ଅବସରରେ ୨ଦିନଧରି ନୃତ୍ୟ, ଗୀତ ଏବଂ ସଂଗୀତର ଆସର ଜମିବ ତଥା ଅନୁଷ୍ଠାନ ପକ୍ଷରୁ ମୁଖପତ୍ର ‘ସୁବର୍ଣ୍ଣା’ ଓ ‘ମନଗହନ’ ର ଲୋକାର୍ପଣ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି ।