ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡାସ୍ଥିତ ଯାଯାବରଠାରେ ପହଞ୍ଚି ଡବ୍ଲୁଓଡିସି ଇକୋ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।
ପରେ ପରେ ଏହି ଦୁଇ ଅଧିକାରୀଙ୍କ ସହିତ ବୌଦ୍ଧ ଜିଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଓଆଇସି ଡବ୍ଲୁଓଡିସି ଇ.ସୋରେଙ୍ଗ,ବିଡିଓ ହରଭଙ୍ଗା ରବିନ୍ଦ୍ର କୁମାର କହଁର,ଡିପିଏମ ମିଶନ ଶକ୍ତି ଦେବଦତ୍ତ ମିଶ୍ର,ଜିଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ,ସ୍ଥପତି ସୁମନ ଷଡଙ୍ଗୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଇକୋ ପାର୍କର ଆଭ୍ୟନ୍ତରୀଣ ୮ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଚାଲି ଚାଲି ପରିଦର୍ଶନ କରିବା ସହିତ ଯୋଜନା ମୁତାବକ ପାର୍କ ଭିତରେ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟର ଚୂଡାନ୍ତ କରିଥିଲେ । ନୂଆପଡା ଡ୍ୟାମକୁ ସଂଯୋଗ କରିବା ପାଇଁ ଏକ ଝୁଲା ଷ୍ଟିଲ ବ୍ରିଜ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ନିରାପଦ ରାତ୍ରିଯାପନ ପାଇଁ ୮ ଗୋଟି କଟେଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ।
୧୮ କୋଟିର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪ କୋଟି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଅର୍ଥ ମଞ୍ଜୁର କରାଯାଇଥିବାବେଳେ ବର୍ତମାନ ୨ କୋଟି ଟଙ୍କା ଯୋଗାଇଦିଆଯାଇଛି ଏବଂ ପରବର୍ତ୍ତି ସମୟରେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁମୋଦିତ ଦୁଗ୍ଧ ଉତ୍ପାଦନ ପ୍ଲାଣ୍ଟ୍,ପଶ୍ଚିମା ଭବନ ଓ ସଂଗ୍ରହାଳୟର ଉନ୍ନତିକରଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ । ଜିଲା ସଂଗ୍ରହାଳୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ବ୍ୟୟରେ ୧୧ ଡି ଫିଲ୍ମ,ଆକ୍ୱାରିୟମ,ଭୁଲଭୁଲେୟା ଓ ଗ୍ରାଭିଟି ଟନେଲ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିବା ସମୀକ୍ଷା ବେଳେ ଅଧିକାରୀମାନେ ଜାଣିବାକୁ ପାଇଥିଲେ । ସନ୍ଧ୍ୟାରେ ଜିଲ୍ଲା ଅତିଥି ଭବନଠାରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଡବ୍ଲୁଓଡିସି ଇକୋ ପାର୍କର ଅଗ୍ରଗତି ସଂପର୍କରେ ଅଧିକାରୀମାନେ ଜିଲ୍ଲାପାଳ ଶ୍ରୀସାହୁଙ୍କୁ ଅବଗତ କରାଇବା ସହିତ ପ୍ରକଳ୍ପ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ଆଲୋଚନା କରିଥିଲେ ।
ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରୋଜେକ୍ଟ ମନିଟରିଂ ୟୁନିଟ ଗଠନ କରାଯିବ ଏବଂ ଯୋଜନା ମୁତାବକ ସମୟସୀମା ମଧ୍ୟରେ ଶିଘ୍ର କାର୍ଯ୍ୟ ସଂପାଦନ ପାଇଁ ସମୀକ୍ଷା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାବ୍ୟତୀତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବାକୁ ବୈଠକରେ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମିଶ୍ର ପରାମର୍ଶ ଦେଇଥିଲେ । ଏହି ପରିବେଶ ପାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହାବ୍ୟତୀତ ବନ୍ୟଜନ୍ତୁମାନଙ୍କ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର, ପକ୍ଷୀ ପାର୍କ,ନୂଆପଡା କ୍ଷୁଦ୍ର ଜଳସେଚନ ଡ୍ୟାମରେ ନୌକା ବିହାର,ସଫାରୀ,କାଫେଟୋରିଆ,ୟୋଗା ଉଦ୍ୟାନ,ବଟରଫ୍ଲାଏ ଉଦ୍ୟାନ,ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଶୋଭାରାଜି ଉପଭୋଗ ପାଇଁ ଚଲାପଥ ସୃଷ୍ଟି,ହାଇକିଂ ଟ୍ରାକ୍,ଫୁଡକୋର୍ଟ,ଲେଣ୍ଡ ସ୍କେପିଂ,ଶିଶୁ ଉଦ୍ୟାନ ଆଦି ସୃଷ୍ଟି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଅତିଥିଭବନଠାରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଏନଏସି ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।