ମୟୁରଭଞ:09/10/2019 ଗାଁ ରାସ୍ତା ଉପରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକର ମୃତଦେହ।ଯୁବକକୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଇ ଦୁର୍ବୁର୍ତ୍ତମାନେ ଫେରାର ହୋଇଥିବା ସନ୍ଦେହ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ଦେଖିବାକୁ ମିଳିଛି।ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥୁବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଶୋଳ ଗାଁର ଦିଲ୍ଲୀପ କୁମାର ମହାନ୍ତ ବୋଲି ଜଣାପଡିଛି। ମୃତ ଯୁବକ ଜଣକ ଗତ ଦୁଇବର୍ଷ ହେବ ନିଜ ଶଶୁର ଘର ବୈଶିଙ୍ଗା ଥାନା ଗଡଗଡ଼ିଆରେ ରହୁଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୁର୍ତ୍ତ ହତ୍ୟା ପରେ ଗାଁ ମୁଣ୍ଡରେ ପିଙ୍ଗି ଦେଇଥିବା ଆଲୋଚନା ହେଉଛି। ତେବେ ମୃତ ଅବସ୍ଥାରେ ମଧ୍ୟ ମୃତକ ହାତରେ ଥିବା ମୋବାଇଲ ଲାଇଟ ଜଳୁଥିବା ବେଳେ ମୁହଁ ଓ ନାକରୁ ରକ୍ତ ବାହାରୁଥିବା ଦେଖାଯାଇଛି ।
ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଖବରପାଇ ମୋରଡ଼ା ପୋଲିସ ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସେହିପରି ଏହି ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ରହିଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।