କେନ୍ଦୁଝର,ତା ୦୬ ଅକ୍ଟୋବର ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି। ଧରାପୃଷ୍ଠରେ ଅବତରଣ କରିଥିବା କରୁନାମୟୀ ମାଆଙ୍କୁ ସହର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ସୁନା, ରୁପା, ଚାନ୍ଦିରେ ସଜେଇ ଦେଇଛନ୍ତି।
ମାଆଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏନେଇ ଚଳ ଚଞ୍ଚଳ ହୋଇଉଠିଛି କେନ୍ଦୁଝର ସହର ସମେତ ସମଗ୍ର ରାଜ୍ୟ। ଭଳିକି ଭଳି ତୋରଣ ଓ ସାଜସଜ୍ଜା ରେ ଝଲସି ଉଠୁଛି ପୂଜା ସ୍ଥଳୀମାନ। ସହର ମଧ୍ୟରେ ଥିବା କାଶୀପୁର ,ମାଇନିଂଗ୍,ଗୋମେଟ୍ବବସ୍ଟା, ବଡ଼ବଜାର ଏମିତି କରି ସହର ରେ ୬ଟି ପୂଜା ପେଣ୍ଡାଲରେ ମାଆ ଦୁର୍ଗା ପୂଜା ପାଉଛନ୍ତି। ପୂଜା ମଣ୍ଡପରେ ୫ ଦିନ ଧରି ମା’ ଦୁର୍ଗାଙ୍କୁ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଷଷ୍ଠୀରେ ବିବରଣ, ସପ୍ତମୀରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଘଟ ସ୍ଥାପନ କରାଯାଇଥିଲା। ଏହାପରେ ବିଧି ଅନୁଯାଇ ଆଜି ବେଦଜ୍ଞ ବ୍ରାହ୍ମଣମାନଙ୍କ ଦ୍ଵାରା ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।ସୋମବାର ମାଆଙ୍କର ନବମୀ ପୂଜା ଓ ମଙ୍ଗଳବାର ଦଶମୀ ପୂଜା ଅନୁଷ୍ଠିତ ହେବ।
ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଅଷ୍ଟମୀ, ନବମୀ ଓ
ଦଶମୀ ତିନି ଦିନ ବ୍ୟାପି ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି
ସେହିପରି ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ ପାଇଁ ନବମୀରେ ବହୁ ନାମୀ ଦାମୀ କଳାକାରଙ୍କ ଦ୍ବାରା ମେଲୋଡ଼ି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଦଶହରା ପରଦିନ ଡିଜେ, ଡାକ, ଧୁମସା, ସିଂ ବାଜା ଓ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଶୋଭାଯାତ୍ରାରେ ମା’ଦୁର୍ଗାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହେବ।