ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଆଜି ବି ମନିଷପଣିଆ ବଞ୍ଚିଛି, ଆଜି ବି ସମାଜରେ ବହୁତ ଭଲ ଲୋକ ଅଛନ୍ତି, ଯେଉଁମାନେ କି ଲୋକଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇଥାନ୍ତି। ସବୁ ସେବା ମଧ୍ୟରୁ ରକ୍ତଦାନ ହେଉଛି ସବୁଠାରୁ ବଡ଼ ସେବା। ଆଜିକାଲି ଗୋଟିଏ ୟୁନିଟ ରକ୍ତ ପାଇବା ପାଇଁ ବି ଯୋଗାଡ କରିବାକୁ କଷ୍ଟକର ପାଠ ହୋଇଯାଏ। ଆଜି ସେମିତି ବିଟାବନ୍ଧ ଗ୍ରାମର ପୁର୍ବତନ ସରପଞ୍ଚ ଅଗସ୍ତି ବାଗ ନିଜ ସମ୍ପର୍କୀୟ ପାଇଁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଏ ପୋଜିଟିଭ ରକ୍ତ ଯୋଗାଡ କରିବା ପାଇଁ ଖୋଜାଖୋଜି କରୁଥିଲେ।
ସେହି ସମୟରେ କାର୍ଯ୍ୟରତ ଥିବା ଟିଟିଲାଗଡ ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କୁ ଭେଟି ଅସୁବିଧାରେ ପଡ଼ିଛି ସାର ମୋର ସମ୍ପର୍କୀୟଙ୍କୁ ଏ ପୋଜିଟିଭ ରକ୍ତ ଦରକାର ଅଛି ବୋଲି କହିବାରୁ ତତକ୍ଷଣାତ୍ ଥାନାଧିକାରୀ ଶ୍ରୀ ବାଗଙ୍କ ସହ ରକ୍ତଭଣ୍ଡାରକୁ ଯାଇ ନିଜର ରକ୍ତଦାନ କରିଥିଲେ।
ଆଜିକାଲିର ଯୁଗରେ ନିଜର ଝାଳ ଟିକିଏ ଦେବାକୁ କୁଣ୍ଠାବୋଧ କରୁଥିବା ଲୋକ ବି ଅଛନ୍ତି କିନ୍ତୁ ଲୋକଙ୍କ ଅସୁବିଧା ଦେଖି ନ ପାରି ସାହାଯ୍ୟର ହାତ ବଢ଼ାଇ ନିଜେ ରକ୍ତଦାନ କରି ଆଜି ସମାଜକୁ ଗୋଟିଏ ସାମାଜିକ ବାର୍ତ୍ତା ଦେବା ସହ ମାନବିକତାର ପରିଚୟ ଦେଇଛନ୍ତି ଥାନାଧିକାରୀ ବରିହା।
ଏହା ଜାଣିବା ପରେ ସହରର ବୁଦ୍ଧିଜୀବି, ସମାଜସେବୀ, ରକ୍ତଦାତା ସଂଘର ସଦସ୍ୟ ମାନେ ଶ୍ରୀ ବରିହାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ସତ କଥା ରକ୍ତଦାନ ମହତଦାନ। ଏହିଭଳି ପୋଲିସ ଅଧିକାରୀ ଙ୍କ ସମାଜସେବା ତଥା ସହାୟତା ପାଇଁ ଆଜିବି ଲୋକଙ୍କ ମନରେ ପୋଲିସ ଉପରେ ଆସ୍ଥା ଓ ବିଶ୍ୱାସ ରହିଛି।