ଭୁବନେଶ୍ବର ୧୦।୯- ଗଣେଶ ପୂଜା ଦିନ ଯାଜପୁର ଜିଲ୍ଲା କୋରେଇ ବ୍ଲକର ସଡ଼କପୁର ପ୍ରାଇମେରୀ ସ୍କୁଲର ୬ ବର୍ଷର ଛାତ୍ର ଅବଦୁଲ ରୁମେନ ଖାନକୁ ପୋଖରୀରେ ବୁଡ଼ି ଯିବାରୁ ରକ୍ଷା କରିଥିବା ଦୁଇ ଛାତ୍ରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।ଘଟଣାଦିନ, ବୁଡି ଯାଉଥିବା ରୁମେନର ପାଟି ଶୁଣି ନିକଟସ୍ଥ କୋରେଇ ନୋଡ଼ାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଶେଖ୍ ତୌସିଫ୍ ରାଜା ଏବଂ ମହମ୍ମଦ ସୋଏବ ଅଖତାର ନିଜ ଜୀବନକୁ ବାଜି ଲଗାଇ ତାକୁ ବଞ୍ଚାଇଥିଲେ । ସେମାନଙ୍କ ସାହସିକତା ପାଇଁ ପୂର୍ବରୁ ଉଭୟ ଛାତ୍ରଙ୍କୁ ସେମାନଙ୍କ ଅଞ୍ଚଳରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଲୋକସେବା ଭବନରେ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ, ସେମାନଙ୍କୁ ସ୍କଲ ବ୍ୟାଗ ଏବଂ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ, ଯାଜପୁର ସାଂସଦ ଶର୍ମିଷ୍ଟା ସେଠୀ, କୋରେଇ ବିଧାୟକ ଅଶେକ ବଳଙ୍କ ସମେତ ତିନି ବାଳକଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।
