ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ରାଶି ଆଦାୟକୁ ଦେଖି ରାଜ୍ୟର ଗାଡି ଚାଳକ ଓ ମାଲିକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ପୁଣି ଏହାକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ବିଭିନ୍ନ ସ୍ଥାନରେ ବିଶୃଂଙ୍ଖଳା ମଧ୍ୟ ଦେଖାଦେଇଛି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ ୩ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ, ବିଶେଷକରି ଭୁବନେଶ୍ୱରରେ ଲୋକଙ୍କ ଆକ୍ରୋଶରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଟ୍ରାଫିକ ଉଲ୍ଲଘଂନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ସେମାନଙ୍କୁ ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରକାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି।
Facebook Notice for EU!
You need to login to view and post FB Comments!