ଭୁବନେଶ୍ବର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ରାଜନୈତିକ ଦଳ ଅଙ୍କକଷା ଚାଲିଥିବା ବେଳେ ଏହି ପଦବୀ ପାଇଁ ଦ୍ରୌପଦୀ ମୁର୍ମୁ, କେ ଶିବନ, ଅରିଫ ମହମ୍ମଦ ଖାଁ ଙ୍କ ନାମ ଗଣମାଧ୍ୟମରେ ଆଲୋଚନା ର ବିଷୟ ହୋଇଛି। ସୁଚନା ରୁ ଅନୁମାନ କରାଯାଏ ଯେ ଝାଡ଼ଖଣ୍ଡ ର ପୁର୍ବତନ ରାଜ୍ୟପାଳ ତଥା ଆର୍ ଏସ୍ ଏସ୍ ଓ ବିଜେପି ସଂଗଠନ ର ଜଣେ ସଚ୍ଚୋଟ ଆଦିବାସୀ ମହିଳା ନେତ୍ରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟରତ ଦ୍ରୌପଦୀ ମୁର୍ମୁ ଙ୍କୁ ଆଗକୁ ଆଣି ବିଜେପି ଦଳିତ କାର୍ଡ ଖେଳିବା ସମ୍ଭାବନା ରହିଛି।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବର୍ତ୍ତମାନ କେରଳ ରାଜ୍ୟପାଳ ଥିବା ଅରିଫ ମହମ୍ମଦ ଖାଁ ଙ୍କୁ ପ୍ରାର୍ଥୀ କରି ଦଳ ସଂଖ୍ୟାଲଘୁ ଙ୍କୁ ହାତେଇବା ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷରେ ଇସ୍ରୋ ର ପୁର୍ବତନ ଅଧ୍ୟକ୍ଷ ତଥା ଦକ୍ଷିଣ ଭାରତୀୟ ବିଶିଷ୍ଟ ବୈଜ୍ଞାନିକ କେ ଶିବନ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିରୋଧୀ ଙ୍କ ମୁହଁରେ ତୁଣ୍ଡି ଦେବାକୁ ବିଜେପି ଉଦ୍ୟମ କରିପାରେ ବୋଲି ଆଲୋଚନା ହେଉଛି। ତେବେ ଏହି ତିନିଜଣ ଙ୍କ ମଧ୍ୟରୁ ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ।
ତାଙ୍କୁ ପ୍ରାର୍ଥୀ କରି ବିଜେଡି ଭୋଟ ହାତେଇବାକୁ ବିଜେପି ଉଦ୍ୟମ କରିପାରେ ବୋଲି ରାଜନୀତିଜ୍ଞ ମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଗାମୀ ୧୫ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଜୁନ ୨୯ ତାରିଖ ନାମାଙ୍କନ ର ଶେଷ ଦିବସ ରହିଛି ତେଣୁ ଜୁନ ମାସରେ ହିଁ ଜଣାପଡ଼ିବ କିଏ ହେବେ ରାଷ୍ଟ୍ରପତି। ଏନ୍ ଡି ଏ ପାଖରେ ଆବଶ୍ୟକ ସଂଖ୍ୟା ଅଭାବ ଯୋଗୁଁ ଆଂଚଳିକ ଦଳ ଗୁଡ଼ିକର ସହଯୋଗ ପାଇଁ ଉଦ୍ୟମ କରୁଛି ବିଜେପି। ପଦବୀ ଅଳଙ୍କୃତ କରିବାକୁ କାହାକୁ ସୁଯୋଗ ମିଲୁଛି ଦେଖିବାକୁ ବାକି ରହିଲା।