ରାଉରକେଲା : ମଦ୍ୟପ ବାପାର ନିର୍ଜାତନା ସହି ନପାରି ରାଉରକେଲା ବୀରମିତ୍ରପୁର ନିକଟ ପାତାଳକାଣ୍ଡ ଗ୍ରାମର ୩ ଭଉଣୀ ଶନିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ଜଣ ହେଲେ ସ୍ୱାତୀ ସୋରିନ୍(୧୮), ଶାଲିନୀ ସୋରିନ(୧୬) ଓ ଜେନିସ୍ ସୋରିନ (୧୫) ।ବୀରମିତ୍ରପୁର ଥାନା ପାତାଳକାଣ୍ଡ ଗାଁରେ ବାସ କରନ୍ତି ପେଡ୍ରି ସୁରିନ୍। ତାଙ୍କର ପରିବାର କହିଲେ ବାପା, ମାଆ, ପତ୍ନୀ ଓ ୩ ଝିଅ। ଦିନ ମଜୁରିଆ ଭାବେ କାମ କରି ଚଳନ୍ତି ପୂରା ପରିବାର। ପିଲାମାନେ ଛୋଟ ଥିବା ବେଳେ ପେଡ୍ରିଙ୍କ ମାଡ଼ ଓ ଗାଳି ସହିନପାରି ତାଙ୍କ ପତ୍ନୀ ଛାଡ଼ି ପଳାଇ ଯାଇଛନ୍ତି। ପତ୍ନୀ ଗଲା ପରେ ପେଡ୍ରି ମାନସିକ ଭାରସାମ୍ୟ ହରାଇ ନିଶା ସେବନ କରୁଥିବା ଅଭିଯୋଗ ହେଉଛି। ଏପରିକି ନିଜର ବଢ଼ିଲା ଝିଅମାନଙ୍କୁ ପ୍ରତିଦିନ ମାଡ଼ ମାରୁଛନ୍ତି।ମାଡ଼ ଅସହ୍ୟ ହେବାରୁ ତିନି ଭଉଣୀ ସ୍ୱାତି, ମଝିଆଁ ସେହେଲ ଓ ସାନ ଜେଲି ଆଜି ଫିନାଇଲ୍ ପିଇ ଦେଇଛନ୍ତି। ପେଡ୍ରିଙ୍କ ସାନ ଭାଇର ସ୍ତ୍ରୀ ଆନିମା ସୁରିନ୍ ଗୁରୁତର ଅବସ୍ଥାରେ ତିନି ଭଉଣୀଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
