ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ସିବିଆଇ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ଏହି ଗିରଫ ସହିତ ଦୁଇ ଦିନ ଧରି ଏଥିନେଇ ଚାଲିଥିବା ନାଟକର ଆପାତତଃ ଅବସାନ ଘଟିଛି।ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଚିଦମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରଠାରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଗିରଫ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଥିଲା। ଚିଦମ୍ବରମ୍ଙ୍କ ସହିତ ମଙ୍ଗଳବାରଠାରୁ କୌଣସି ଯୋଗାଯୋଗ ସମ୍ଭବ ହେଉ ନ ଥିଲାବେଳେ ଦିଲ୍ଲୀ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ ପାଇଁ ସେ ଓକିଲଙ୍କ ମାଧ୍ୟମରେ ବୁଧବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ବୁଧବାର ତ୍ବରିତ ଶୁଣାଣି ହୋଇପାରି ନ ଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଇଜଲାସରେ ଏହି ମାମଲାର ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ ହୋଇଥିଲା
ଚିଦମ୍ବରମ୍ ସନ୍ଧ୍ୟାବେଳେ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ କଂଗ୍ରେସ ମୁଖ୍ୟାଳୟରେ ହାଜର ହୋଇ ଏକ ସମାମ୍ବଦିକ ସମ୍ମିଳନୀ ମାଧ୍ୟମରେ ନିଜକୁ ନିର୍ଦୋଷ ଦାବି କରିଥିଲେ। ପରେ ସେ ଜୋର୍ ବାଗ୍ସ୍ଥିତ ନିଜ ବାସଭବନକୁ ଯାଇଥିଲେ। ସେଠାରେ ପ୍ରଥମେ ଇଡି ଓ ସିବିଆଇର ଦୁଇ ଦଳ ପହଞ୍ଚି ତାଙ୍କୁ ପ୍ରାୟ ଘଣ୍ଟାଏ କାଳ ଜେରା କରିଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଅଧିକ ଜେରା ପାଇଁ ତାଙ୍କୁ ସିବିଆଇ ଅଧିକାରୀମାନେ ସାଙ୍ଗରେ ନେଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ବୁଧବାର ସକାଳେ ସିବିଆଇ ଓ ଅପରାହ୍ଣରେ ଇଡି ପକ୍ଷରୁ ଚିଦମ୍ବରମ୍ଙ୍କ ବିରୋଧରେ ‘ଲୁକ୍ଆଉଟ୍ ସର୍କୁଲାର’ ଜାରି କରାଯାଇଥିଲା।
ଚିଦମ୍ବରମ୍ କାଳେ ଦେଶ ଛାଡ଼ି ଚାଲିଯିବେ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦେଶର ସମସ୍ତ ବିମାନବନ୍ଦରକୁ ସତର୍କ କରିଦିଆଯାଇଥିଲା।୩ଟି ସିବିଆଇ ଟିମ୍ ଘର ଭିତରେ ହିଁ ଚିଦାମ୍ବରମ୍ଙ୍କୁ ପଚରାଉଚରା କରିବା ପରେ ଚିଦାମ୍ବରମ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ତାଙ୍କୁ ବର୍ତ୍ତମାନ ସିବିଆଇ ମୁଖ୍ୟାଳୟ ନିଆଯିବ ଏବଂ ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।ଘଟଣାସ୍ଥଳରେ କଂଗ୍ରେସର କିଛି କର୍ମୀ ଓ ତୁଙ୍ଗ ନେତା ଧାରଣାରେ ବସି ରହିଥିଲେ ଓ ସେମାନଙ୍କୁ ଘଉଡେଇବା ପାଇଁ ଦିଲ୍ଲୀ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ତେବେ ଚିଦାମ୍ବରମଙ୍କୁ ଘର ଭିତରେ ସିବିଆଇ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ଗେଟ ଭିତରକୁ ପ୍ରବେଶ କରିଥିଲା। ସେହି ସମୟ ଭିତରେ ସିବିଆଇ ନିର୍ଦ୍ଦେଶକ ପହଂଚିବା ପରେ ଦିଲ୍ଲୀ ପୁଲିସ ଗାଡ଼ିରେ ଚିଦାମ୍ବରମଙ୍କୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି।