କଟକ:ଟାଙ୍ଗୀ ଚୌଦ୍ବାର ବ୍ଲକ ହଳଦୀବସନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ କୁମାର ବେହେରା ୨୦୦୬ମସିହାରୁ ତାଙ୍କର ଏକାଧିକ ଶୈକ୍ଷିକ ତଥା ଅଣଶୈକ୍ଷିକ ସାମାଜିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି ।ନିଜର ସ୍ୱଳ୍ପ ଦରମାରେ ସାର୍ ସମାଜ ପାଇଁ ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି । ପ୍ରମୋଦ ସାର୍ ୨୦୦୬ ଓ୨୦୧୩ ମସିହା ପାଇଁ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପରୀକ୍ଷା ଉପଯୋଗୀ ସ୍ୱଲିଖିତ ତଥା ପ୍ରକାଶିତ ୩୦୩୦ ‘ଇତିହାସ ଓ ନଗର ବିଜ୍ଞାନ’ ପୁସ୍ତକ ମାଗଣାରେ ବଣ୍ଟନ କରିଥିଲେ ।
୨୦୧୧ ରୁ୨୦୧୫ ମଧ୍ୟରେ ୪୦୪୦ ଛାତ୍ର, ଅଭିଭାବକ ତଥା ଯୁବକ ମାନଙ୍କୁ କପଡ଼ା ବଣ୍ଟନ କରିଛନ୍ତି ।ବରିଷ୍ଠ ନାଗରିକ ମାନଙ୍କୁ ୨୦୧୬ ରୁ୨୦୨୦ ମଧ୍ୟରେ ୩୫୩୫ ଖଣ୍ଡ ଗାମୁଛା ପ୍ରଦାନ କରି ସେମାନଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସାର୍ ଙ୍କ ସବୁଠାରୁ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ଆସନ୍ତା କାଲିର ଭବିଷ୍ୟତ ମାନଙ୍କୁ ଓଡ଼ିଆ ଭାଷାର ମୂଳତତ୍ତ୍ଵ ଜାଣିବା ପାଇଁ କଟକ, ଯାଜପୁର ଓ ଢେ଼ଙ୍କାନାଳ ଜିଲ୍ଲାର ପ୍ରାୟ ୭ଟି ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କୁ ମାଗଣାରେ ୭୦୭୦ ଟି ‘ଛବିଳ ମଧୁ ବର୍ଣ୍ଣବୋଧ’ ୨୦୨୦ ମସିହାରୁ ବଣ୍ଟନ କରିଆସୁଛନ୍ତି ।
କରୋନା ମହାମାରୀ ସମୟରେ ମଧ୍ୟ ସାର୍ ୨୦୨୦-୨୨ ସୁଦ୍ଧା ୧୧୧୧ ମାସ୍କ ବଣ୍ଟନ କରିଛନ୍ତି ଏବଂ କରୋନା ଭୟାବହତା ଯୋଗୁଁ ସ୍କୁଲ ନ ଖୋଲିଥିଲେ ସୁଦ୍ଧା ସାର୍ ଘର ଘର ବୁଲି ପିଲାମାନଙ୍କର ଗଣିତ ଓ ଭାଷା ଜ୍ଞାନ ର ଅଭିବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିଛନ୍ତି ।ସାର୍ ଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟପାଇଁ କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ମଧୁସୂଦନ ସାଂସ୍କୃତିକ ପରିଷଦ,ସତ୍ୟଭାମାପୁର ମିଳିତ ସହଯୋଗରେ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ସମାରୋହ-୨୦୨୨ ରେ କଟକ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ପ୍ରଦାନ କରିଛନ୍ତି ।