କାଶୀପୁର:୨୮/୪(ଅଞ୍ଜନ କୁମାର ନାଏକ) ଇଛାଶକ୍ତି ଥିଲେ ସବୁ ସମ୍ଭବ ଏକଥା ପ୍ରମାଣିତ କରି ଦେଖାଇଛନ୍ତି କାଶୀପୁର ବ୍ଲକ ସଦର ମହକୁମା ଅନ୍ତର୍ଗତ ଗୌଡ଼ ସାହି ର ଜଣେ ଯୁବକ ବୁଟି ଗୌଡ଼ । କାଶୀପୁର ଭଳି ଘଞ୍ଚ ଅରଣ୍ୟ ଦିନ ପ୍ରତିଦିନ ଲଣ୍ଡା ହେଉଥିବାବେଳେ ସେ ନିଃସ୍ୱାର୍ଥପର ଭାବେ ୧୦୨,୨୮ ଏକର ଡଙ୍ଗର କୁ ଜଙ୍ଗଲ ସୃଷ୍ଟି କରିବା ସହ ସେଠାରେ ବସବାସ କରୁଥିବା ଜଙ୍ଗଲୀ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ବାପା ମାଆ ଙ୍କର ବିୟୋଗ ପରେ ପରିବାର ମଧ୍ୟରେ ୪ ଭଉଣୀ ଓ ଦୁଇଭାଇ ଏଥିରେ ବୁଟି ଗୌଡ଼ ହେଉଛନ୍ତି ସର୍ବ କନିଷ୍ଟ କିନ୍ତୁ କୌଣସି କାରଣରୁ ସେ ୩୫ ବର୍ଷ ପରେ ମଧ୍ୟ ଅବିବାହିତ । ଜମିବାଡ଼ି ନାହିଁ କାମ କରିଲେ ବୁଟି ଙ୍କର ଘର ଚାଲେ , ପିଲାଟି ଦିନରୁ ଏଯାବତ ବୁଟି ଗୌଡ଼ ଜଣେ ଘର ନିର୍ମାଣ ଶ୍ରମିକ ଭାବେ କାମ କରିଆସୁଛନ୍ତି । କିନ୍ତୁ ଗଛ ପତ୍ର , ଜଙ୍ଗଲ ଓ ଜଙ୍ଗଲୀ ଜୀବଜନ୍ତୁ ଉପରେ ତାଙ୍କର ଦୁର୍ବଳତା ରହିଥିଲା ।
ହେଲେ ଧୀରେ ଧୀରେ କାଶୀପୁର ଚତୁର୍ପାରସ୍ପ ଥିବା ପ୍ରାକୃତିକ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ପ୍ରାୟ ୨୦ ବର୍ଷ ପୂର୍ବେ ମୃତ୍ତିକା ସଂଗ୍ରକ୍ଷଣ ବିଭାଗ ପକ୍ଷରୁ ‘ ଫୁଡ଼ ଫର ୱାର୍କ ‘ ଯୋଜନା ଦ୍ୱାରା ସ୍ଥାନୀୟ ଲୋକଙ୍କ ସଂପୃକ୍ତି ରେ ଉକ୍ତ ଡଙ୍ଗର ରେ ଚାକୁଣ୍ଡା ବୃକ୍ଷ ରୋପଣ କରାଯାଇଥିଲା । ପର୍ଯ୍ୟାୟ କ୍ରମେ ଉକ୍ତ ବୃକ୍ଷ ସବୁ ଅବହେଳିତ ଅବସ୍ଥାରେ ମଧ୍ୟ ବଢ଼ିବାରେ ଲାଗିଥିଲା ଓ ଧୀରେ ଧୀରେ ତାହା ଲଣ୍ଡା ଡଙ୍ଗର ଭିତରେ ଏକ ସବୁଜ ସୁନ୍ଦର ରୂପ ରେ ପରିବର୍ତ୍ତିତ ହେବାରେ ଲାଗିଲା ପୁଣି କିଛି ବର୍ଷ ପରେ ତାହା ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଡଙ୍ଗର ର ପୂର୍ବ ଅବସ୍ଥା ରେ ପରିଣତ ହେବାକୁ ଲାଗିଲା । ଏସବୁ ଦେଖି ପ୍ରାୟ ୨୦୦୫ ପରେ ବୁଟି ଗୌଡ଼ ଉକ୍ତ ଜଙ୍ଗଲ କୁ ବଞ୍ଚାଇବା ସଂକଳ୍ପ ନେଇ ନିଜ ପେଟପାଟଣା ଛାଡି ସ୍ଥାନୀୟ ଲୋକଙ୍କ ସହ ଜଙ୍ଗଲ ସମ୍ପୂର୍ଣ୍ଣ ବଞ୍ଚିବା ପରେ ସେଥିରୁ ଜାଳ ସଂଗ୍ରହ ପାଇଁ ଆଲୋଚନା କରିଥିଲେ । ପୁଣି ତାହାର ସଂଗ୍ରକ୍ଷଣ ପାଇଁ ସମୟ ବାହାର କରି ନିଜ ସହ ଗାଁ ର କିଛି ଛୋଟ ଛୋଟ ଅନ୍ୟ ପିଲା ମାନଙ୍କୁ ନେଇ ସକାଳ ଓ ସନ୍ଧ୍ୟାରେ ଜଗିବାକୁ ଆରମ୍ଭ କରିଥିଲେ ।
ଉକ୍ତ ଡଙ୍ଗର ରେ କେବଳ ଚାକୁଣ୍ଡା ଗଛ ରୁ ଆରମ୍ଭ ହେଇଥିବା ଜଙ୍ଗଲ ବର୍ତ୍ତମାନ ଶାଳ, ପିଆ ଶାଳ, ହରିଡା, ବାହାଡ଼ା, ଆଁଳା,କାଜୁ , ବେଲ ଓ ଶାଗୁଆନ ଭଳି ଅନେକ ପ୍ରଜାତି ର ଗଛ ର ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେଇଯାଇଛି । ଏଥିସହ ଶତାଧିକ ଜଙ୍ଗଲୀ ଜୀବ ମଧ୍ୟରୁ କୁଟୁରା, ବାରହା , ମୟୁର ଓ ଜଙ୍ଗଲୀ କୁକୁଡ଼ା ବସବାସ କରୁଛନ୍ତି । ସରକାର ପୁରାତନ ଜଙ୍ଗଲର ସୁରକ୍ଷା ପୁଣି ନୂତନ ଜଙ୍ଗଲ ସୃଷ୍ଟି ଯୋଜନା ନିମନ୍ତେ ନଦୀର ଶ୍ରତ ଭଳି ଅର୍ଥ ବ୍ୟୟବରାଦ କରୁଥିବା ସଭିଏଁ ଜାଣନ୍ତି । କିନ୍ତୁ ଦୁର୍ଭାଗ୍ୟ ଏହି ଦିଗରେ ବନ ବିଭାଗ ନିଜର ଶତାଧିକ କର୍ମଚାରୀ ଥାଇ ମଧ୍ୟ ନିଜର କର୍ତ୍ତବ୍ୟ ର ଅବହେଳା ଯୋଗୁଁ ଆଜି ଗୋଟିଏ ଜଙ୍ଗଲ ସୃଷ୍ଟି କରିଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳିପାରୁ ନାହିଁ ବଦଳ ରେ ଶତାଧିକ ହେକ୍ଟର ପ୍ରାକୃତିକ ଜଙ୍ଗଲ ଲଣ୍ଡା ହେଇଯାଇଛି । ଅପରପକ୍ଷେ ଆଶ୍ଚର୍ଯ୍ୟ ବିନା କୌଣସି ପାରିଶ୍ରମିକ ପୁଣି ପ୍ରତ୍ସାହନ ରେ ବୁଟି ଗୌଡ଼ ୧୦୨,ଏକର ଆଉ ୨୮ ଡେସିମିଲ ଯୁକ୍ତ ଉକ୍ତ ଲଣ୍ଡା ଡଙ୍ଗର କୁ ନିଜ ପ୍ରଚେଷ୍ଟା ରେ ଏହାକୁ ଘଞ୍ଚ ଜଙ୍ଗଲ ରେ ପରିଣତ କରିବାରେ ସକ୍ଷମ ହେଇପାରିଛନ୍ତି । ଦୁର୍ଭାଗ୍ୟ ଇତିମଧ୍ୟରେ ଉକ୍ତ ଜଙ୍ଗଲ ରେ କୌଣସି ବୃକ୍ଷ ରୋପଣ ବିନା କାଶୀପୁର ବନ ବିଭାଗ ପକ୍ଷରୁ ନୂତନ ଜଙ୍ଗଲ ସୃଷ୍ଟି ନାଁ ରେ ଏକ ଫଳକ ଲଗାଇ ଟଙ୍କା ଆତ୍ମସାଥ କରିଥିବା ବି ଅଭିଯୋଗ ହେଉଛି । ପ୍ରକାଶ ଥାଉ କି ଏକଦା କାଶୀପୁର ପ୍ରାକୃତିକ ଅରଣ୍ୟ ସାଙ୍ଗକୁ ଜଙ୍ଗଲି ଜନ୍ତୁ ପାଇଁ ବେଶ ପରିଚିତ ଥିଲା ।
ସନ୍ଧ୍ୟା ୫ ଟା ହେଲେ ବାଘର ଭୟ । ବାଘ ଉପଦ୍ରବ ହେତୁ ଶତାଧିକ ଜୀବନ ନଷ୍ଟ ହେଇଥିବା ପ୍ରମାଣ ରହିଛି । ଜଙ୍ଗଲ କ୍ଷୟ ଦେଖାଯିବା ପରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ କାଶୀପୁର ବନାଞ୍ଚଳ ର ୧୨,୫୭୪.୨୦୩୬ ହେକ୍ଟର ଜଙ୍ଗଲକୁ ” ଲଦା ଖମନ ,ଦଣ୍ଡାବାଡ଼ , କାଣ୍ଡ ବିନ୍ଧା ,ପୋଢ଼ବନ୍ଧ , ଲେଳିଗୁମା, ଟିଟିଗୁଡା ,ସଙ୍କରଡ଼ା, କିଣ୍ଡିରି ପଦର ,ମହୁଲ କୋଣା, ବାଲିଆ ଖାଡା ଓ ରସ୍ତୁଗୁଡା ଅଞ୍ଚଳ ଭଳି ୧୦ ଟି ଭାଗ ରେ ବିଭକ୍ତ କରାଯାଇଥିଲା । କିନ୍ତୁ କୌଣସି କାରଣରୁ ଜଙ୍ଗଲ ସୁରକ୍ଷା ସମ୍ଭବ ପର ହେଇପାରି ନ ଥିଲା । ଫଳରେ ପୁନଃ କାଶୀପୁର ବନାଞ୍ଚଳ କୁ ଦୁଇଭାଗ ରେ ବିଭକ୍ତ କରାଯାଇ ଅନ୍ୟ ଏକ ବନାଞ୍ଚଳ କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଠାରେ ପ୍ରତିଷ୍ଠା କରାଯାଇ ଶତାଧିକ କର୍ମଚାରୀ ନିୟୋଜିତ କରାଯାଇଛି । ତଥାପି ଦିନ ଦ୍ବୀପହର ରେ ଜଙ୍ଗଲ ଜମିରୁ ବାଲି ଓ ମାଙ୍ଗାନିଜ ଭଳି ମୂଲ୍ୟବାନ ଖଣି ଚାଲାଣ ହେଉଥିବା ବେଳେ କାଠ ଓ ଜଙ୍ଗଲୀ ଜନ୍ତୁ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପଲେଟିଛି । ଏଭଳି ସ୍ଥିତିରେ ସରକାର ଅପାରଗତା ବନ କର୍ମଚାରୀ ବଦଳରେ ବୁଟି ଗୌଡ଼ ଙ୍କ ଭଳି କିଛି ସ୍ୱେଚ୍ଛାସେବୀ ଙ୍କୁ ପ୍ରତ୍ସାହନ ଦେଇ କାଶୀପୁର ପ୍ରାକୃତିକ ଅରଣ୍ୟ କୁ ପୂର୍ବ ଗୌରବ ପ୍ରତିଷ୍ଠା କରିବାକୁ ଅଞ୍ଚଳ ର ବୁଦ୍ଧିଜୀବି ମହଲରେ ଦାବି ହେଉଛି ।