ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦିନ ପ୍ରାୟ ୧୧ଟା ସମୟରେ ମନ୍ଦିର ନିକଟରେ ଥିବା ଝରଣାରେ ହଠାତ ବନ୍ୟା ପାଣି ପ୍ରବଳ ବେଗରେ ମାଡିଆସିବାରୁ ଶ୍ରଦ୍ଧାଳୁମାନେ ଆତଙ୍କିତ ହୋଇପଡିଥିଲେ । ଝରଣାରେ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ପରମ୍ପରା ଥିବାବେଳେ ଝରଣା ନିକଟକୁ ଯିବାକୁ କେହି ସାହସ ଜୁଟାଇପାରିନଥିଲେ । ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଥିବାରୁ ଝରଣାରେ ପ୍ରବଳ ବେଗରେ ପାଣି ମାଡିଚାଲିଛି ।
ତେବେ ଝରଣାର ଶ୍ରୋତ ଏତେ ପ୍ରଖର ଥିଲା ଯେ ସେଠାରେ ଥିବା ହନୁମାନ ମୂର୍ତ୍ତୀ ତାରିପାଖରେ ଥିବା ଲୁହା ରେଲିଙ୍ଗକୁ ମଧ୍ୟ ଭାଙ୍ଗି ଦେଇଥିଲା। ହଠାତ ପାଣି ମାଡି ଆସିବାରୁ ଝରଣା ଆରପଟେ ଥିବା ଭକ୍ତମାନେ ଫସିଯାଇଥିଲେ। ଭୟରେ ଚିତ୍କାର କରିବାକୁ ଲାଗିଥିଲେ ଭକ୍ତ। ହରିଶଙ୍କରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।