ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ ସନ୍ୟାସ ନେବେ । ନା ଶେଷରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢିବେ । ଏଭଳି ଅନେକ ପ୍ରଶ୍ନ ଏବେ ବିଜୟ ପ୍ରେମୀଙ୍କ ମନରେ ଉଙ୍କି ମାରିଲାଣି ।ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତ୍ୱେ ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି।ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ ଜଣ ରାଜ୍ୟସ୍ତରୀୟ ନେତା ପଞ୍ଚାୟତଗୁଡ଼ିକରେ ଡେରା ପକାଇବା, ସୁପ୍ରିମୋଙ୍କ ପଞ୍ଚାୟତୱାରି ରୋଡ୍ ଶୋ’ ଓ କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଗତ ଏପ୍ରିଲ ୨୯ ତାରିଖ ଲୋକସଭା ନିର୍ବାଚନରେ ପାଇଥିବା ଭୋଟ୍ ତୁଳନାରେ ବିଜେଡି ମାତ୍ର ୧୦୭୮୯ ଖଣ୍ଡ ଅଧିକ ଭୋଟ୍ ପାଇପାରିଛି। ଏପରିକି ବିଜେଡିର ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତରେ ଦଳକୁ ପୂର୍ବ ତୁଳନାରେ ମାତ୍ର ୪୪୦୦ ଖଣ୍ଡ ଅଧିକ ଭୋଟ୍ ମିଳିଛି। ତେବେ ବିଜୟ ମହାପାତ୍ରଙ୍କ ପୈତୃକ ଗାଁ ଗରଦପୁର ବ୍ଲକରେ ବିଜେଡି ନିଜର ସ୍ଥିତିକୁ ବେଶ୍ ସୁଦୃଢ଼ କରିଥିବାବେଳେ ମାର୍ଶାଘାଇ ବ୍ଲକରେ ନିଜର ସମ୍ମାନ ରଖିବାରେ ସକ୍ଷମ ହୋଇଛି।ଏହି ବିଜୟ ପରେ ଟ୍ବିଟ କରି ପାଟକୁରା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପାଟକୁରା ସରିଲା ଏବେ ଅଙ୍କକଷା ଆରମ୍ଭ ହେବ ବିଜେପୁର ପାଇଁ।
ପାଟକୁରାରେ @bjd_odisha କୁ ବିପୁଳ ଜନମତ ଦେଇ ବିଜୟୀ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ଭଲପାଇବା ଓ ସହଯୋଗ ସର୍ବଦା ଗୁରୁତ୍ଵ ବହନ କରେ। ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ଦଳୀୟ କର୍ମୀଙ୍କୁ ମୋର ଶୁଭେଚ୍ଛା। #DhanyabadPatkura pic.twitter.com/MC8u0GLJ07
— Naveen Patnaik (@Naveen_Odisha) July 24, 2019