ପିପିଲି : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଟ୍ରିପଲ ମର୍ଡର ହୋଇଛି। ବିଚ୍ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ମାନେ ହେଲେ ସଦାନନ୍ଦପୁର ଗାଁର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା।ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିଲେ।
ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଥିଲା ଅତ୍ୟନ୍ତ ଭୟଙ୍କର। ଘଟଣାସ୍ଥଳରେ ହିଁ କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରାଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଏପରି କି ପୋଡ଼ାଜଲା କରିଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ଉଠିନଥିଲେ। ଶେଷରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ପରେ ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ଉଠାଯାଇଛି ।