ମୟୂରଭଂଜ ଜିଲ୍ଲାର କରଞ୍ଜିଆ ସବ୍ଜେଲରୁ ଫେରାର କଏଦୀ ଯାଜପୁର ଜିଲ୍ଲାର କାଳିଆପାଣିରୁ ଗିରଫ ହୋଇଛି। ବିଚାରାଧୀନ କଏଦୀ ଭଗବାନ ଟୁଡୁକୁ ପୁଲିସ ଗିରଫ କରିଛି। ଭଗବାନକୁ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିପାରେ। ସୂଚନାଯୋଗ୍ୟ ଚଳିତ ମାସ ୧୯ ତାରିଖରେ କରଞ୍ଜିଆ ଉପକାରାଗାରରୁ ଭଗବାନ ଫେରାର ହୋଇଥିଲା।ଗତ ୨୦୧୦ ମସିହା ଏପ୍ରିଲ୍ ମାସରେ କାଳିଆପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ରହୁଥିବା ସ୍ବର୍ଗତ ବାହାଦୁର ମହାରଣାଙ୍କ ପୁଅ ଦଶରଥ ମହାରଣାଙ୍କ ହତ୍ୟାକାଣ୍ଡରେ ଭଗବାନ ସଂପୃକ୍ତ ଥିଲା। ଭଗବାନ ଓ ମୃତ ଯୁବକଙ୍କ ମା’ ସୁକୁମାରୀ ମହାରଣା ଷଡ଼୍ଯନ୍ତ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଏହି ମାମଲା (ସିଟି-୨୮୮/୧୨)ରେ ଦୋଷୀ ସାବ୍ୟସ୍ତ ହୋଇ ଭଗବାନ ଓ ସୁକୁମାରୀ ମହାରଣା ଆଜୀବନ କାରାଦଣ୍ଡ ଭୋଗୁଥିଲେ। ତେବେ ଭଗବାନର ଆଚରଣରେ ଜେଲ୍ କର୍ତ୍ତୃପକ୍ଷ ସନ୍ଦେହ କରି ଗତ ୩ ବର୍ଷ ତଳେ ତାକୁ ରଗଡ଼ି ଜେଲ୍ରୁ କରଞ୍ଜିଆ ଜେଲ୍କୁ ସ୍ଥାନାନ୍ତର କରିଥିଲେ।
