ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ,ସମଗ୍ର ଦେଶ ଯେତେବେଳେ ଭାଲେନ୍ତାଇନସ୍ ଦିବସ ପାଳନ କରୁଥିଲା ସେତେବେଳେ ଜାମ୍ମୁକାଶ୍ମୀର ରୁ ଆସିଥିଲା ଦେଶକୁ ମର୍ମାହତ କରିଦେବାଭଳି ଏକ ଅତ୍ୟନ୍ତ ଦୁଃଖଦ ଖବର।ଯେତେବେଳେ ଜାତୀୟ ଟେଲିଭିଜନ ରେ ବାଜି ଉଠିଲା ଜାମ୍ମୁ କାଶ୍ମୀର ପୂଲ୍ ୱାମା ଠାରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି, ସ୍ତବ୍ଧ ହୋଇଗଲା ଦେଶବାସୀଙ୍କ ହୃଦୟର ସ୍ପନ୍ଦନ,ଦୋହଲି ଯାଇଥିଲା ସମଗ୍ର ଭାରତବର୍ଷ।
ଜାମ୍ମୁ କାଶ୍ମୀର ଅନ୍ତର୍ଗତ ପୂଲ୍ ୱାମା ର ଲେଥପୋରା ନିକଟରେ ଧାଡ଼ି ଧାଡ଼ି ହୋଇ ଯାଉଥିବା ସି ଆର୍ ପି ଏଫ୍ ଜୱାନଙ୍କ ବସରେ ୩୦୦ କେଜି ଆର୍ ଡି ଏକ୍ସ୍ ବୋଝେଇ କାର ଯୋଗେ ଆତଙ୍କବାଦୀ ମାନେ ଘଟାଇଥିଲେ ଭୟଙ୍କର ବିସ୍ଫୋରଣ।ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ୧୦ କିମି ବ୍ୟାପି ଅଞ୍ଚଳ ଥରି ଉଠିଥିଲା।ଜଵାନଙ୍କ ରକ୍ତରେ ଭିଜି ଯାଇଥିଲା ରାଜପଥ।ଦେଶର ୪୦ ଜଣ ବୀର ଜୱାନ ଶହୀଦ ହୋଇଯାଇଥିଲେ।
ଏହି ଆତଙ୍କି ଆକ୍ରମଣ କୁ ଅାଜି ତିନି ବର୍ଷ ପୁରିଛି।ହେଲେ,ଶହୀଦଙ୍କ ପାଇଁ ଆଜିବି ଲୁହ ଗଡାଉ ଛନ୍ତି ଦେଶବାସୀ।ଅାତଙ୍କୀ ହମ୍ଲା ର ସେହି ହୃଦୟବିଦାରକ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜିବି ଦେଶବାସୀଙ୍କ ଛାତି ଥରି ଉଠେ।ତେବେ ଭାରତର ଏହି ବୀର ଶହୀଦ ଯବାନଙ୍କ ବଳିଦାନ ର ବଦଲା ନିଆଯାଇଥିଲା ୨୦୧୯ ଫେବୃୟାରୀ ୨୬ ତାରିଖ ଦିନ।ପାକିସ୍ତାନର ବାଲାକୋଟ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍ ର ଶିବିର ଉପରେ ଏଆର୍ ସ୍ତ୍ରାଇକ୍ କରିଥିଲା ଭାରତ ଏବଂ ସମସ୍ତ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।ପୁଲ ୱାମା ଆକ୍ରମଣର ତିନି ବର୍ଷ ପୂର୍ତ୍ତି ଅବସରରେ ସି ଆର୍ ପି ଏଫ୍ ର ସେହି ବୀର ଶହୀଦ ଙ୍କ ନିଷ୍ଠା,ସେବା,ଦେଶପ୍ରେମ ଓ ବଳିଦାନ ଆଗରେ ସମଗ୍ର ଦେଶ ଅାଜି ନତମସ୍ତକ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏଇଓଡିଶା ପରିବାର ମଧ୍ୟ ଶହୀଦ ଯବାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି।