ଶରୀରରେ ଗଭୀର ଆଘାତ ଲାଗିଲେ, ବିଷାକ୍ତ ଖାଦ୍ୟ ଖାଇଲେ ବା ଅନ୍ୟକୌଣସି ରୋଗର କାରଣରୁ ସ୍ନାୟୁର ଚଳନ ଶକ୍ତି ନଷ୍ଟହେଲେ ସହଜରେ ପକ୍ଷାଘାତ ରୋଗ ହୋଇଥାଏ । ଏହା ଏକ ମାରାତ୍ମକ ରୋଗ । ଏହା ଶରୀରର ଯେକୌଣସି ଅଙ୍ଗକୁ ମଧ୍ୟ ଆକ୍ରମଣ କରିପାରେ ।
ଲକ୍ଷଣ
ପେରୋପ୍ଲିଜିଆ ଅର୍ଥାତ୍ ନିମ୍ନାଙ୍ଗରେ ପକ୍ଷାଘାତ ଧୀରେ ଧୀରେ ରୋଗୀର ଅଜାଣତରେ ପ୍ରକଟ ହୋଇଥାଏ । ପ୍ରଥମେ ଅଳ୍ପ ଜ୍ୱର ଆସେ ଓ ଗୋଡ଼ କମ୍ଜୋର ହେଲାପରି ଜଣାପଡ଼େ । ଗୋଡ଼କୁ ଟାଇଁଟାଇଁ ମାରିଲା ଭଳି ଜଣାପଡ଼େ । ଏହା ଗୋଡ଼ରୁ ଆରମ୍ଭ କରି ହାତ ପର୍ଯ୍ୟନ୍ତ ବ୍ୟାପୀଯାଇଥାଏ । ମୂତ୍ରାଶୟ ଓ ମଳଦ୍ୱାରକୁ ଆକ୍ରମଣ କଲେ ପରିସ୍ରା ଓ ପାଇଖାନା ଯିବା କଷ୍ଟଦାୟକ ହୋଇପଡ଼େ । ପରିସ୍ରା ବନ୍ଦ ହୋଇଗଲେ ଦୁର୍ଗନ୍ଧ ବାହାରେ ଓ କ୍ଷାରଯୁକ୍ତ ସୂଚାପରି ପଡ଼େ । ପକ୍ଷାଘାତ ଆକ୍ରାନ୍ତ ରଙ୍ଗର ସଞ୍ଚାଳନ ଶକ୍ତି ନଷ୍ଟ ହୋଇଯାଇଥାଏ । ଫଳରେ ରୋଗୀ ଚିତ୍ହୋଇ ଶୋଇରହେ ଓ ନିତମ୍ବରେ କ୍ଷତି ମଧ୍ୟ ସୃଷ୍ଟି ହୋଇପାରେ । ସାଧାରଣ ପେରୋପ୍ଲିଜିଆ ହେଲେ ଗୋଡ଼ର ପେଶୀଗୁଡ଼ିକର ଶକ୍ତି ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ । ଏହି ରୋଗ ହେଲେ ୧୦୨ରୁ ୧୦୭ ଡ଼ିଗ୍ରୀ ପର୍ଯ୍ୟନ୍ତ ଜ୍ୱର ମଧ୍ୟ ଆସିପାରେ । ବେଳେବେଳେ ରୋଗୀ ଚିଡ଼ଚିଡ଼ା ହୋଇ ବିକାରଗ୍ରସ୍ତ ହେଲେ ମୃତୁ୍ୟମୁଖରେ ପଡ଼ିବା ଆଶଙ୍କା ରହେ । ମେରୁଦଣ୍ଡ ଉପରେ କୌଣସି ପ୍ରକାର ପ୍ରେସର ପଡ଼ିଲେ ଯେଉଁ ପେରୋପ୍ଲିଜିଆ ହୁଏ ତା’ର ଲକ୍ଷଣ ମଧ୍ୟ ଭିନ୍ନ । ଏଥିରେ ପିଠି ମେରୁଦଣ୍ଡରେ ପ୍ରଥମେ ଦରଜ ହୁଏ ।
କାରଣ
ମସ୍ତିଷ୍କର କୌଣସି ଏକ ସ୍ଥାନରେ ପୀଡ଼ା ହେଲେ ଏହାର ବିପରୀତ ପ୍ରଭାବରେ ପକ୍ଷାଘାତ ହୋଇଥାଏ । ମସ୍ତିଷ୍କ ଭିତରେ ରକ୍ତସ୍ରାବ ଓ ଧମନୀରେ ରକ୍ତ ସଞ୍ଚାଳନ ହେବା ଏହି ରୋଗର ମୁଖ୍ୟ କାରଣ । ଅପରପକ୍ଷରେ ବିଶେଷଜ୍ଞମାନେ ଏହି ରୋଗ ଉତ୍ପତ୍ତିର ବିଭିନ୍ନ କାରଣ ବିଷୟରେ କହୁଥିଲେ ମଧ୍ୟ ସଠିକ୍ କାରଣକୁ ନେଇ ଏବେବି ଗବେଷଣା ଚାଲୁରହିଥିବା ଜଣାଯାଏ । ଏହି ରୋଗ ହେଲେ ଯେଉଁ ଅଙ୍ଗପ୍ରତ୍ୟଙ୍ଗ ଅଚଳ ଲାଗେ ସେଠାରେ ଚିମୁଟିଲେ ମଧ୍ୟ ଜଣାପଡ଼େ ନାହିଁ । ଶରୀର ମଧ୍ୟ କ୍ରମଶଃ କ୍ଳାନ୍ତ ଲାଗେ । ତେଣୁ ଏହି ରୋଗର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ ।ତେବେ ଉଚ୍ଚରକ୍ତଚାପ ଏବଂ ଅସଜଡା ଜୀବନ ଶୈଳୀ ପାଇଁ ପକ୍ଷାଘାତ ହେବାର ନମୁନା ବହୁ ଜାଗାରେ ଦେଖିବାକୁ ମିଳେ।