ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି ଭୟଙ୍କର ଘଟଣା ଏବେବି ସମସ୍ତଙ୍କ ମନେ ଅଛି। ଏବେ ଠିକ୍ ସେମିତି ଏକ ଘଟଣା ରାୟଗଡ଼ ଜିଲ୍ଲାରେ ଘଟିଛି। ପ୍ରେମିକାର ସ୍ୱାମୀକୁ ହତ୍ୟା କରିବା ପାଇଁ Youtubeରୁ ଫର୍ମୁଲା ନେଇଥିଲେ ପ୍ରେମିକ। ଯେଉଁଥିରେ ଖୋଦ୍ ପ୍ରେମିକାଙ୍କ ହାତ ରହିଥିବା ପୁଲିସ କହିଛି।ରାୟଗଡା ଜିଲ୍ଲା କୁଟ୍ରାଗଡ଼ ଗାଁ ବଂଶଧାରା ନଦୀ ବ୍ରିଜ ତଳୁ ମୃତଦେଦ ଉଦ୍ଧାର ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ସ୍ତ୍ରୀ ସୁନିତା, ପ୍ରେମୀକ ରମେଶ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।
ମୁନିଗୁଡ଼ା ଥାନା ସମଦଳା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ସେ ଆଜକୁ ପ୍ରାୟ ୧୬ ବର୍ଷ ତଳେ ଗୁଣପୁରର ସୁନିତା ମହାନନ୍ଦିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ବେଶ ହସଖୁସିରେ ଚାଲିଥିଲା ତାଙ୍କ ପରିବାର। ସେମାନଙ୍କର ବର୍ତ୍ତମାନ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ରାମଚନ୍ଦ୍ରଙ୍କୁ ଶିକ୍ଷକତାରୁ ମିଳୁଥିବା ଦରମାରେ ଚଳୁଥିଲା ପୂରା ପରିବାର। କିନ୍ତୁ ପତ୍ନୀଙ୍କ ମନ ଥିଲା ତାଙ୍କ ପୁରୁଣା ପ୍ରେମିକଙ୍କ ପାଖରେ।ୟୁଟ୍ୟୁବ୍ ମାଧ୍ୟମରେ କିପରି ନିଶା ଦିଆଯିବ ତାହାର ପ୍ରଶିକ୍ଷଣ ନେଇଥିଲା ଅଭିଯୁକ୍ତ । ଗତ ୨୦ ତାରିଖରେ ବଂଶଧାରା ନଦୀର ବ୍ରିଜ ତଳୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେତେବେଳେ ରାମଚନ୍ଦ୍ରଙ୍କ ସ୍ତ୍ରୀ ସୁନିତା ନିଜ ବାପ ଘର ଗୁଣୁପୁରରେ ଥିଲେ । ରାମଚନ୍ଦ୍ରଙ୍କ ବାପା ଓ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।
ରାମଚନ୍ଦ୍ରଙ୍କୁ କିପରି ରାସ୍ତାରୁ ହଟାଇ ହେବ? ତାହାର ଉତ୍ତର Youtubeରେ ଖୋଜିଥିଲେ ରମେଶ। ଶେଷରେ ମିଳିଥିଲା ହତ୍ୟା କରିବାର ରାସ୍ତା। ନିଶା ଦେଇ ରାମଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଗତ ୧୯ ତାରିଖ ସନ୍ଧ୍ୟାରେ ଏକ ଟାଭେରା ଗାଡ଼ିରେ ରମେଶ ବାହାରି ପଡ଼ିଲେ। ସେତେ ବେଳେ ସୁନିତା ଥାଆନ୍ତି ନିଜ ବାପ ଘରେ। ଗୁଣପୁରରେ ପହଞ୍ଚି ରମେଶ ଓ ତାଙ୍କ ସହଯୋଗୀ କାଳିଆର ମୋବାଇଲ ଫୋନ୍ରେ ରାମଚନ୍ଦ୍ରଙ୍କୁ କୁଟ୍ରାଗଡ଼ ନିକଟସ୍ଥ ଏକ ଇଟାଭାଟି ପାଖକୁ ଡାକିଥିଲେ।
ରାମଚନ୍ଦ୍ର ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପରେ ଇଟାରେ ରାମଚନ୍ଦ୍ରଙ୍କ ମୁଣ୍ଡକୁ ଛେଚି ରମେଶ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ଏକ ଦୁର୍ଘଟଣାର ରୂପ ଦେବାପାଇଁ ଘରୁ ରାମଚନ୍ଦ୍ରଙ୍କ ବାଇକ୍ ନେଇ କୁଟ୍ରାଗଡ଼ ବ୍ରିଜ ତଳେ ଫୋପାଡ଼ି ଦେଇଥିଲେ ବୋଲି ମୁନିଗୁଡା SDPO ଚନ୍ଦ୍ରଶେଖର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।