ସମ୍ବଲପୁର:( ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ଅଧିକ ରୁ ଅଧିକ ପ୍ରଚାର ପ୍ରସାର ପାଇଁ ସଦା ସର୍ବଦା ତତ୍ପରତା ସହକାରେ କାର୍ଯ୍ୟ କରୁଥୁବା ଓ ପଶ୍ଚିମାଞ୍ଚଳ ର ଅଧିକାର ପାଇଁ ଲଢେଇ କରୁଥୁବା ଅଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆଇ.ଆଇ.ଏମ ସମ୍ବଲପୁର ର ନିର୍ଦ୍ଦେଶ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ୱାଲ ଙ୍କୁ ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ଭାବରେ ସମ୍ମାନିତ କରାଗଲା ।ମଞ୍ଚ ପକ୍ଷରୁ ବର୍ଷ ବ୍ୟାପି ଆୟୋଜିତ ହେଉଥୁବା ବିବିଧ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଅଗଷ୍ଟ-୧ ସମ୍ବଲପୁରୀ ଦିନ୍ ଓ ଜାତୀୟ ସମ୍ବଲପୁରୀ ସମ୍ମେଲନ ମୁଖ୍ୟ ଆକର୍ଷଣ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ବାନ୍ଧକଳା, ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷ ଙ୍କୁ ପ୍ରତ୍ୟେକ ବର୍ଷ ସମ୍ବଲପୁରୀ ଦିନ୍ ରେ ଗୁରୁଶ୍ରୀ ସତ୍ୟନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନ ପ୍ରଦାନ କରାଯାଇଥାଏ । ସେହି ପରି ଜାତୀୟ ସମ୍ବଲପୁରୀ ସମ୍ମେଲନ ରେ ମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥାଏ ।
ଚଳିତ ବର୍ଷ ସମ୍ବଲପୁରୀ ଦିନ୍ ରେ ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନ ଆରମ୍ଭ କରାଯାଇଛି । ଗତ ବର୍ଷ ଓ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଖୋଲା ମଞ୍ଚ ରେ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିନଥିଲା । ତେଣୁ ଆଜି ମଞ୍ଚ ର ସଦସ୍ୟବୃନ୍ଦ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ସମ୍ବଲପୁର ଆଇ ଆଇ ଏମ କୁ ଯାଇ ନିର୍ଦ୍ଦେଶ ଙ୍କୁ ସମ୍ମାନିତ କରିଥିଲେ । ମଞ୍ଚ ପାଖରୁ କୁହାଯାଇଛି ।ଗଠନାତ୍ମକ ଓ ନୂତନତ୍ୱ ର ଚିନ୍ତନ ସହିତ ଏବଂ ଦୂରଦୃଷ୍ଟି ଓ ସ୍ୱପ୍ନ କୁ ସାକାର କରିବା ପାଇଁ ନିଷ୍ଠାର ସହିତ ନିଜର ଅକ୍ଲାନ୍ତ ପରିଶ୍ରମ, କାର୍ଯ୍ୟଦକ୍ଷତା, ସୁପରିଚାଳନା, ଫଳରେ ଆଇ.ଆଇ.ଏମ, ସମ୍ବଲପୁର ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନୁଷ୍ଠାନ କୁ ସର୍ବ ଭାରତୀୟ ସ୍ତରରେ ଏକ ଉଚ୍ଚ ସ୍ଥାନ ରେ ପହଞ୍ଚେଇଥିବା ଆଇ ଆଇ ଏମ ର ନିର୍ଦ୍ଦେଶ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ୱାଲ ନିଶ୍ଚିତ ଭାବରେ ପ୍ରଶଂସା ର ପାତ୍ର । କେବଳ ନିଜର ଶିକ୍ଷାନୁଷ୍ଠାନ ରେ ନିଜକୁ ସୀମିତ ନ ରଖି ପଶ୍ଚିମାଞ୍ଚଳ ର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରତୀକ ସମ୍ବଲପୁରୀ କୁ ଭଲ ପାଉଥିବା ଓ ସମ୍ବଲପୁରୀ କୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରେଇବା ପାଇଁ ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଟା ତାଙ୍କୁ ପଶ୍ଚିମାଞ୍ଚଳବାସୀ ଙ୍କ ହୃଦୟରେ ଏକ ଭିନ୍ନ, ସ୍ୱତନ୍ତ୍ର ଓ ସମ୍ମାନସ୍ପଦ ସ୍ଥାନ ଦେଇ ପାରିଛି ।
ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠାନ ର ଅସ୍ଥାୟୀ କୋଠା ହେଉ କି ବସନ୍ତପୁର ଠାରେ ନିର୍ମାଣାଧୀନ ନିଜସ୍ୱ କୋଠା ହେଉ, ଅନୁଷ୍ଠିତ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ହେଉ କି ଅନ୍ୟାନ୍ୟ ଆନୁଷ୍ଠାନିକ ବିବିଧ କାର୍ଯ୍ୟକ୍ରମ ହେଉ ସବୁଠି ସମ୍ବଲପୁରୀ ବାନ୍ଧକଳା, ସଂସ୍କୃତି ଓ ପରମ୍ପରା କୁ ଉଚ୍ଚତର ସ୍ଥାନ ଦେଇ ଅଞ୍ଚଳରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସ୍ୱତନ୍ତ୍ର ସମ୍ମାନିତ କାର୍ଯ୍ୟକ୍ରମ ରେ ରେଙ୍ଗାଲି ର ମାନ୍ୟବର ବିଧାୟକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଉପଦେଷ୍ଟା ନାଉରି ନାୟକ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ତଥା ଅନ୍ୟତମ ଉପଦେଷ୍ଟା ଡ଼.ପ୍ରମୋଦ କୁମାର ରଥ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆର୍ଥ ସଂଯୋଜକ ସୁବୋଧ କୁମାର ଦୋରା, ଅନ୍ୟତମ ସକ୍ରିୟ ସଦସ୍ୟ ଜୟନ୍ତ କୁମାର ଦାଶ ପ୍ରମୁଖ ସାମିଲ ଥିଲେ ।