ବୌଦ୍ଧ:(ଚିତ୍ତରଂଜନସିଂ)ଆସନ୍ତା ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି ବୌଦ୍ଧ ଜିଲ୍ଲା କିସାନ କ୍ଷେତ ମଜଦୁର କଂଗ୍ରେସ l ଜିଲ୍ଲା କିସାନ କଂଗ୍ରେସର ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଆଜି ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜଣା ପଡିଛି l ଓଡିଶା ରାଜ୍ୟର କୃଷକ ମାନଂକ ଆବଶ୍ୟକ ଅନୁସାରେ ସାର ପହଂଚି ପାରିନାହିଁ l ଫଳରେ ଚାଷୀ କଳାବଜାରୀ ହାବୁଡରେ ପଡି ବାଧ୍ୟ ହୋଇ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ସାର କିଣି ଚାଷରେ ପକାଇବାକୁ ବାଧ୍ୟ ହେଉଥିବା କିସାନ କଂଗ୍ରେସ ଅଭିଯୋଗ କରିଛି | ଆସନ୍ତା ଖରିଫ ଋତୁରେ ଚାଷୀଙ୍କୁ ଆବଶ୍ୟକ ସାର ସୁଲଭ ଦରରେ ଯେଭଳି ମିଳିପାରିବ ସେ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି |
ଆଜି ସକାଳ ୧୧ ଘଣ୍ଟା ସମୟରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରୁ କିସାନ କଂଗ୍ରେସର ସଦସ୍ୟ ମାନେ ଶୋଭାଯାତ୍ରାରେ ପହଂଚି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା କିସାନ କଂଗ୍ରେସର ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରାୟ ସଂଜୀବ କୁମାର ଦେଓ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଯୁବ କଂଗ୍ରେସ ର ବୌଦ୍ଧ ନିର୍ବାଚନ ମଣ୍ଡଳୀ ସଭାପତି ଅବଦୁଲ କାଲିମ ଖାନ୍, କଣ୍ଟାମାଳ ସଭାପତି କଳାକାର ଦଳ ବେହେରା, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅର୍ଜୁନ ମହାନନ୍ଦିଆ,ପ୍ରଦୀପ କୁମାର୍ ଦାସ, ଅଚ୍ୟୁତ କର୍ଣ୍ଣ, ତପନ କୁମାର୍ ରାଉତରାୟ, ସୁଶିଲ କୁମାର୍ ହୋତା, ବନମାଳି ଭୋଇ, ସୁମନ୍ତ ଲେଙ୍କା, ଉଦ୍ଧବ ବେହେରା ପ୍ରମୁଖ କଂଗ୍ରେସ ନେତୃବର୍ଗ ଓ କର୍ମୀ ଯୋଗ ଦେଇଥିଲେ |