ଭୁବନେଶ୍ବର :୨୩/୩ ଦଳୀୟ ସଂଗଠନରେ ନ ଥାଇ ଟିକେଟ୍ ପାଇଥିବା ଲୋକଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ସବୁ ଦଳର ନେତା ହାଇକମାଣ୍ଡଙ୍କୁ ଲିଖିତ ପତ୍ର ଦେଇଛନ୍ତି। ପ୍ରାର୍ଥୀ ପରିବର୍ତ୍ତନ ନ ହେଲେ ଦଳ ବିରୋଧରେ କାମ କରିବାକୁ ଧମକ ମଧ୍ୟ ଦିଆଯାଇଛି।ଦୋଳ ପୂର୍ଣ୍ଣିମା ଦିନ ଭାରତୀୟ ଜନତା ପାର୍ଟିର ଟିକେଟ୍ ତାଲିକା ଘୋଷଣା କରାଯାଇଥିଲା। ଏଥିରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ନିହାର ରାୟ, ବଣାଇଁରୁ ଅନିଲ ବାର୍ଲା, ରାଜଗାଙ୍ଗପୁରରୁ ନିରସିଂହ ମିଞ୍ଜ, ତଳସରାରୁ ଭବାନୀ ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ ଓ ସୁନ୍ଦରଗଡ଼ରୁ କୁସୁମ ଟେଟେଙ୍କୁ ପ୍ରାର୍ଥୀ କରା ଯାଇଛି। ସୁନ୍ଦରଗଡ଼ରେ କୁସୁମଙ୍କୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ କେହି ଖୋଲାଖୋଲି ପ୍ରକାଶ କରି ନାହାନ୍ତି। କିନ୍ତୁ ରାଜଗାଙ୍ଗପୁରରେ ନରସିଂହଙ୍କ ପ୍ରାର୍ଥୀତ୍ବକୁ ଦଳୀୟ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଟିକେଟ୍ ତାଲିକା ଘୋଷଣା ପରେ ଦଳୀୟ ନେତାମାନେ ବିଜେପିର ସୁନ୍ଦରଗଡ଼ ଜିଲ୍ଲା ସଭାପତିଙ୍କୁ ଭେଟି ପ୍ରାର୍ଥୀ ତାଲିକା ପରିବର୍ତ୍ତନ କରିବାକୁ ଲିଖିତ ଭାବେ ଜଣାଇଥିଲେ। ସେମାନେ ରାଜାମୁଣ୍ଡା ଯାଇ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମଙ୍କୁ ଭେଟି ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ ନ କଲେ ଦଳ ବହୁ କ୍ଷତି ସହିବ ବୋଲି ଚେତାବନୀ ଦେଇଥିଲେ। ରାଉରକେଲାରେ ନିହାରଙ୍କ ପ୍ରାର୍ଥିତ୍ବକୁ ନେଇ ଧୀରେନ୍ ସେନାପତିଙ୍କ ସମର୍ଥକମାନେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଗଠନ ପାଇଁ ଦୀର୍ଘ ବର୍ଷ ଧରି କାମ କରୁଥିବା ଧୀରେନଙ୍କୁ ଟିକେଟ୍ ନ ଦେଇ ଅନ୍ୟ ଦଳରୁ ଆସି ମାତ୍ର କିଛି ବର୍ଷ କାମ କରିଥିବା ନିହାରଙ୍କୁ ଟିକେଟ୍ ଦେବା ଦ୍ବାରା ରାଉରକେଲାରେ ଦଳର ବିପର୍ଯ୍ୟୟ ହେବ ବୋଲି ସେମାନେ କହିଛନ୍ତି।
ସେହିପରି ଭାବେ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ଦଳ ପକ୍ଷରୁ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ ବହୁ ସମର୍ଥକ ଏକ ବାଇକ୍ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ପରେ ମୁଖ୍ୟ ଗେଟ୍ରେ ତାଲା ପକାଇ ନାରାବାଜି ଦେବା ପରେ କାର୍ଯ୍ୟାଳୟ ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିରେ କଂଗ୍ରେସ ଭବନର କମ୍ପୁଟର, ଟେବୁଲ ଚୌକି ଏବଂ ଅନ୍ୟ ଆସବାବପତ୍ର ଭାଙ୍ଗିରୁଜି ଯାଇଛି।ରାଉରକେଲାରେ ମୁକ୍ତିକାନ୍ତଙ୍କୁ କଂଗ୍ରେସ ଟିକେଟ୍ ଦିଆଯିବାକୁ ଦଳର ଅଧିକାଂଶ ନେତା ଓ କର୍ମୀ ଖୋଲା ବିରୋଧ କରିଥିଲେ। କଂଗ୍ରେସ ନେତାମାନଙ୍କର ଏକ ବୈଠକ ଉଦିତନଗର ଠାରେ ଅନୁଷ୍ଠିତ ହୋଇଥିଲା। ଦଳର ପ୍ରାଥମିକ ସଦସ୍ୟ ନ ଥିବା ଏବଂ ଦଳର କୌଣସି କାର୍ଯ୍ୟ କରି ନ ଥିବା ମୁକ୍ତିକାନ୍ତଙ୍କୁ କେଉଁ ଆଧାରରେ ପ୍ରାର୍ଥୀ କରାଗଲା ସେ ସମ୍ପର୍କରେ ଦଳୀୟ ନେତୃବୃନ୍ଦଙ୍କୁ ପ୍ରଶ୍ନ କରିିଥିଲେ।
ଏପଟେ ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା।ଏକ ବୈଦୁତିକ ଗଣମାଧ୍ୟମ ର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪ ଜଣ ଲୋକ ଟିକେଟ ଦେବା ନଦେବା ସ୍ଥିର କରନ୍ତି। ଏଠି କାମ ଦେଖି ଟିକେଟ୍ ମିଳେନା, ଯଦି ମିଳୁଥାନ୍ତା, ତେବେ ମୋ ଟିକେଟ ପକ୍କା ଥିଲା ବୋଲି ପ୍ରତ୍ୟୁଷା କହିଛନ୍ତି। ଏପରିକି ଡିଆଇବି କରିଥିବା ସର୍ଭେ ରିପୋର୍ଟରେ ତାଙ୍କ ପ୍ରଦର୍ଶନ ଭଲ ଥିଲା।ସବୁ ଦଳରେ ଆଶାୟୀ ଙ୍କ ସଂଖ୍ୟା ଅଧିକ ଥିବାରୁ ଏ ପ୍ରକାର ଘଟନା ଘଟୁଛି ବୋଲି ବିଭିନ୍ନ ମହଲା ରେ ଚର୍ଚା ହେଉଛି ।
