ବ୍ୟାସନଗର: ଯାଜପୁର ଜିଲ୍ଲାର ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗର (ଯାଜପୁରରୋଡ)ର ଚୋରଦା ବାଇପାସ ଛକ ମେନ ରୋଡରେ ଅବସ୍ଥିତ “ଉତ୍କଳ ସେଣ୍ଟର ପଏଣ୍ଟ”ରେ ୧୮ରୁ ୪୪ବର୍ଷର ବର୍ଗଙ୍କ ମଧ୍ୟରେ ୧ମ ଡୋଜ ଟୀକାକରଣ କାର୍ଯ୍ୟ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି । ଫଳରେ ଯୁବ ଓ ମଧ୍ୟମ ବର୍ଗଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖାଦେଇଛି । ଏହି କାର୍ଯ୍ୟକ୍ରମକୁ ‘ଉତ୍କଳ ସେଂଟର ପଏଂଟ’ ଜେନନେରାଲ ମ୍ୟାନେଜର ତରୁଣ ଭଟ୍ଟ, ମାର୍କେଟିଂ ବିଭାଗ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ, ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ା. ସନ୍ତୋଷ କୁମାର ପୃଷ୍ଟି, ପୋଲିସ ପ୍ରଶାସନ, ପୈାର କର୍ମଚାରୀ ପ୍ରମୁଖ ସହଯୋଗ କରୁଛନ୍ତି । ଏହି ଟୀକାକରଣ ୧୦ ଦିନ ଧରି ଏଠାରେ ଚାଲିବ । ଏହା କେବଳ ରବିବାର ଦିନ ବନ୍ଦ ରହିବ ବୋଲି କହିଛନ୍ତି ଡ଼ା. ପୃଷ୍ଟି । ଗୋଟିଏ ଦିନରେ ଏଠାରେ ୧୫୦୦ ରୁ ୨୦୦୦ ବ୍ୟକ୍ତିଙ୍କୁ ଟୀକା ଦିଆଯିବାର ଯୋଜନା ରହିଛି । ହେଲେ ୨୧ ତାରିଖ ସୋମବାର ୨୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ଟୀକା ଦିଆଯିବାର ଅଛି ବୋଲି ପଞ୍ଜିକୃତ ସଂଖ୍ୟାରୁ ଜଣାଯାଇଛି । ଗତ କାଲି ସନ୍ଧ୍ୟା ୦୬ଟାରୁ ୦୭ଟା ମଧ୍ୟରେ ପଞ୍ଜିକୃତ କରିବାକୁ କୁହାଯାଇଥିବା ବେଳେ ୦୬ଟା ୦୪ ବେଳକୁ ସମସ୍ତ ସ୍ଲଟ ସରିଯାଇଥିବାର କହିଛନ୍ତି ଡ଼ା. ପୃଷ୍ଟି ।
ଘୋଷିତ ସମୟର ପୂର୍ବରୁ ଅର୍ଥାତ୍ ୫ଟା ୪୫ରୁ ସାଇଟ ଚାଲୁ ହୋଇଯାଇଥିଲା ବୋଲି କେତେକ କହିଛନ୍ତି । କୁହାଯିବ ଗୋଟିଏ ହେଲେ କରାଯାଉଛି ଆଉ ଗୋଟିଏ । ସ୍ୱାସ୍ଥ୍ୟ ବିଭାଗର ଏପରି ନୀତିକୁ କେତେକ ନାପସନ୍ଦ କରିଛନ୍ତି । ଏଥିରେ ‘ଫିକ୍ସିଂ’ ହେଉଛି ବୋଲି ଅଭିଯୋଗ ଉଠିଛି । ସଠିକ ସମୟରେ ସାଇଡ଼ ଖୋଲିବାକୁ ଓ ଏହି ସମୟରେ ସାଇଡ଼ ଠିକ ରୂପେ ଚାଲିବାକୁ କେତେକ ଦାବୀ କରିଛନ୍ତି ।ସୁଚନାଯୋଗ୍ୟ, ‘ଉତ୍କଳ ସେଂଟର ପଏଂଟ’ରେ ଚାଲିଥିବା ଏହି ଟୀକାକରଣ କାର୍ଯ୍ୟକ୍ରମ ବ୍ୟାସନଗର ପୈାର ପରିଷଦ, ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ହେଉଛି । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପ୍ରଶାସକ ସନ୍ତୋଷ କୁମାର ମିଶ୍ର, ଯାଜପୁରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ପୈାର କର୍ମଚାରୀ ମାଣିକ ରଂଜନ ନାୟକ, ଅମୀତ୍ ପୁରୋହିତ, କାହ୍ନୁଚରଣ ବାରିକ, ମେଡିକାଲର ଷ୍ଟାଫ୍, ପୋଲିସ କର୍ମଚାରୀ ଓ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି