ଭୁବନେଶ୍ବର : ନାଁକୁ ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ବର। ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବା ଲାଗି ଏକ ଦଶନ୍ଧି ହେଲା ଯୋଜନା ପରେ ଯୋଜନା ହେଉଛି।ଭୁବନେଶ୍ୱରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ ରାଜଧାନୀବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି ତ କେଉଁଠି ପ୍ରତି ପାଞ୍ଚ ମିନିଟ୍ରେ ବିଜୁଳି ଲୁଚକାଳି ଖେଳୁଛି। ମରାମତି ବାହାନାରେ ଏଭଳି ବିଦ୍ୟୁତ୍ କାଟ୍ କରାଯାଉଛି ବୋଲି ସଫେଇ ଦିଆଯାଉଛି। କିନ୍ତୁ ବାସ୍ତବରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ପାଇଁ ଉପଭୋକ୍ତାମାନେ ଅଯଥାରେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। କେତେବେଳେ ଅଣ୍ଡରଗ୍ରାଉଣ୍ଡ କେବଲିଂ କଥା କୁହାଯାଉଛି ତ ଆଉ କେତେବେଳେ ସବୁ ପରିବାରକୁ ବିଦ୍ୟୁତ୍ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଉଛି।
ଏତେ ସବୁ ପରେ ବି ୨୦୨୧ରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ କରାଯାଇ ପାରୁନାହିଁ। ଯେଉଁଥିପାଇଁ ଉପାନ୍ତ ଗାଁଠାରୁ ରାଜଧାନୀର ଅବସ୍ଥା ଏବେ ଅଧିକ ଦୟନୀୟ ହୋଇପଡ଼ିଛି। କେଉଁଦିନ ୨୪ ଘଣ୍ଟା ମଧ୍ୟରେ ୧୦ ମିନିଟ୍, ୨୦ ମିନିଟ୍ କରି ୧୫ ଥର ବିଦ୍ୟୁତ୍ କଟୁଛି; ତ ଆଉ କେଉଁଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯାଉଛି। ଗ୍ରାହକଙ୍କୁ ଆଗୁଆ ସୂଚନା ମଧ୍ୟ ଦିଆଯାଉନି।ବିଦ୍ୟୁତ ବିଭାଗକୁ ପଚାରିଲେ ଉତ୍ତର ମିଳୁଛି ଉପରୁ କଟାଯାଇଛି। କେଉଁ ଉପରୁ କାହା ନିର୍ଦେଶରେ କାହିଁକି ଏତେ ସମୟ ବିଜୁଳି କଟାଯାଉଛି କେହି ଉତ୍ତର ଦେଉନାହାନ୍ତି। ବିଜୁଳି ବିଭ୍ରାଟକୁ ଲୋକେ ସାମନା କରୁଥିବା ବେଳେ ଶକ୍ତି ମନ୍ତ୍ରୀ ବିଜୁଳି କାଟ ହେଉନି ବରଂ କେଉଁଠି ସ୍ଥାନୀୟ ସ୍ତରରେ କିଛି ସମସ୍ୟା ପାଇଁ କଟୁଥିବା କହିଛନ୍ତି। ସାରା ଓଡ଼ିଶାରେ ପ୍ରତିଦିନ ଏକାଧିକ ଥର ବିଜୁଳି କାଟକୁ ନୂଆ ମନ୍ତ୍ରୀ ଆରମ୍ଭରୁ ହାଲୁକା ଭାବେ ନେଇଥିବାକୁ ହଜମ କରିପାରୁ ନାହାନ୍ତି ଉପଭୋକ୍ତାମାନେ।
ରସୁଲଗଡ଼,ବଡ଼ଗଡ଼, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ପାଣ୍ଡରା, ଭିମଟାଙ୍ଗୀ, ବାରଙ୍ଗ, ଲକ୍ଷ୍ମୀସାଗର, ନୟାପଲ୍ଲୀ ଆଦି ରାଜଧାନୀର ସବୁ ଅଞ୍ଚଳରେ ଏହି ଗୋଟିଏ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି। ଗ୍ରୀଷ୍ମ ଦିନେ ଯାହା ବିଦ୍ୟୁତ୍ କଟୁଥିଲା,ହେଲେ ବର୍ଷା ଦିନ ଆରମ୍ଭ ହେଉଣୁ ବିଦ୍ୟୁତ୍ ବିଭ୍ରାଟ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ସନ୍ଧ୍ୟା ଓ ରାତିରେ ବାରମ୍ବାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ଦ୍ବାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ବଡ଼ିଆ ବାବୁମାନେ ଇନ୍ଭର୍ଟର କି ଜେନେରେଟରରେ କାମ ଚଳାଇ ଦେଉଛନ୍ତି। ତେଣୁ ସେମାନଙ୍କର ଲାଇନ୍ ଗଲେ କି ରହିଲେ କିଛି ଜଣାପଡ଼ୁନି। ହେଲେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଗ୍ରାହକମାନେ ହିନସ୍ତା ହେଉଛନ୍ତି।