ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଇମ୍ରାନ କହିଛନ୍ତି।ତେବେ କଣ ଥିଲା ଏତେ ଶୀଘ୍ର ଫେରିବାର ମାନେ ଆସନ୍ତୁ ଜାଣିବା। ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ ଦେଇଥିଲେ । ଭାରତକୁ କେତେକ ପ୍ରସ୍ତାବ ଦେଇଥିଲା ପାକିସ୍ତାନ । ଭାରତ-ପାକିସ୍ତାନରେ ଲାଗିଥିବା ଉତ୍ତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରସ୍ତୁତ ବୋଲି ପାକ୍ କହିଥିଲା । ଏହାସହ ଉତ୍ତେଜନା କମିବା ପରେ କେତେକ ସର୍ତ୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ପ୍ରସ୍ତୁତ ବୋଲି ମଧ୍ୟ ପାକ୍ କହିଥିଲା।ପାକିସ୍ତାନର ଏଭଳି ଘୋଷଣା ପରେ ଭାରତର କୂଟନୈତିକ ସ୍ତରରେ ବୃହତ ବିଜୟ ହୋଇଛି। ପୂର୍ବରୁ ଭାରତ ପକ୍ଷରୁ ବିନାସର୍ତ୍ତରେ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଦାବି କରାଯାଇଥିଲା।
ଅନ୍ୟପଟେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଥିଲା । ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ପାକିସ୍ତାନ ଛାଡ଼ିବା ଉଚିତ ବୋଲି ଭାରତ କହିଥିଲା । ପାଇଲଟଙ୍କର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ଚେତାବନୀ ମଧ୍ୟ ଦେଇଥିଲା ।ଆଉ ତା’ରି ଭିତରେ ପ୍ରତିକ୍ରିୟା ରଖିଥଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଥିଲେ ଭାରତ ଓ ପାକିସ୍ତାନରୁ ଭଲ ଖବର ଆସୁଛି । ଦୀର୍ଘ ଦଶନ୍ଦି ଦଶନ୍ଦି ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହେବାର ସମୟ ଆସୁଛି । ଖୁବ ଶୀଘ୍ର ଭାରତ ପାକ୍ ଝଗଡ଼ା ଶେଷ ହେବ ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ ।ଆଉ ତା’ପରେ ପାକିସ୍ତାନ ଦେଲା ଭଲ ଖବର । ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା ପାକିସ୍ତାନ୍। ଆଜି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିଛନ୍ତି।