ଭୁବନେଶ୍ବର : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ।ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ। ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି.
ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏଁ ଚାଲିବ। କିନ୍ତୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ।ଏଥର ମଧ୍ୟ OMRରେ ଅବ୍ଜେକ୍ଟିଭ ଏବଂ ବୁକ୍ଲେଟରେ ସବ୍ଜେକ୍ଟିଭ ଉତ୍ତର ଲେଖିବେ ଛାତ୍ରଛାତ୍ରୀ। ଏ ବର୍ଷ ମାଟ୍ରିକ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।୨୦୧୯-୨୦ ଶିକ୍ଷାବର୍ଷ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ଚଳିତ ୨୦୨୧ ମେ ମାସରେ ମାଟ୍ରିକ ବୋର୍ଡ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଫର୍ମ ପୂରଣ ତାରିଖ ବଢ଼ାଇବାର ଆବଶ୍ୟକତା ରହିଛି ।