ଯାଜପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଯାଜପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଜିଲାର ୪୯୯ କୋଟି ଟଙ୍କା ବ୍ୟୟରେ ୨୫୨ଟି ପ୍ରକଳ୍ପ ର ଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ପୂର୍ବାହ୍ନରେ ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦତପୁରରେ ପହଂଚି ୪ କୋଟି ଟଙ୍କା ବ୍ୟୟରେ ୨ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହିତ ୯୬ କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ଏକ ସାଧାରଣ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସୂଚନା ଦେବା ସହିତ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।
ଏହାପରେ ଧର୍ମଶାଳା ମହୋତ୍ସବ ପଡିଆରେ ୪୭୫ କୋଟି ଟଙ୍କା ବ୍ୟୟରେ ୨୪୫ ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୨୩ କୋଟି ଟଙ୍କା ବ୍ୟୟରେ ୯ ଗୋଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ,ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି,ରାଜ୍ୟ ଚଳଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଂଝାରପୁର ଯଜ୍ଞ ପଡିଆରେ ମୁଖ୍ୟମନ୍ତ୍ରୀ ୩୮ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ଏଥିସହିତ ୩ କୋଟି ଟଙ୍କା ବ୍ୟୟରେ ୨ ଗୋଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହିତ ଆମ ସରକାର ଗରିବଙ୍କ ସରକାର । ଗରିବ ମାନଙ୍କ ବିକାଶ ପାଇଁ କାଳିଆ ଭଳି ଅନେକ ଲୋକାଭିମୁଖି ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାବେଶ ଆରମ୍ଭରୁ ପୁଲୱାମା ସହୀଦ ମାନଙ୍କ ଉଦେ୍ଧଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଏସପି ଚରଣ ସିଂ ମିନା ପ୍ରମୁଖ ଉପସ୍ଥିତ ଥିଲେ ।