ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଡଙ୍କାରୀ ଗସ୍ତ କରି ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି । ଗ୍ରୀନ ଟ୍ରିବ୍ୟୁନାଲର ଆଦେଶକୁ ବେଖାତିର କରି ସରକାର ଏଥିରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଥିବା ଦାମ କହିଛନ୍ତି । ବେଆଇନ ବ୍ଲାଷ୍ଟିଂ ଓ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁ ଲୋକ କିଡନୀ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିବା କହିଛନ୍ତି । ତୁରନ୍ତ ୱାଗନ ବ୍ଲାଷ୍ଟିଂ ବନ୍ଦ କରିବା ସହିତ ବ୍ୟାପକ ବୃକ୍ଷରୋପଣ କରିବାକୁ ଦାବୀ କରିଛନ୍ତି ଏହି ଟିମ୍ । ଏହି ଟିମରେ ମାନବାଧିକାର କର୍ମୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ଥିଲେ ।
ଧର୍ମଶାଳା ତହସିଲର ଡଙ୍କାରୀ ପାହାଡରେ ଚାଲିଛି ବେଆଇନ ବ୍ଲାଷ୍ଟି ଓ ଖନନ । ଏହି ଜନସ୍ବାର୍ଥ୍ୟ ବିରୋଧି ମାମଲା କୋର୍ଟକୁ ଯିବା ପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏଥିରେ ହସ୍ତକ୍ଷେପ କରିଥିଲେ । ତେବେ ଏନଜିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ 25କୋଟି ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି । ଏହି ମର୍ମରେ ଆଜି ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଡଙ୍କାରୀ ଗସ୍ତରେ ଆସି ଡଙ୍କାରୀ ପାହାଡ ଓ ପାର୍ଶ୍ବବର୍ତ୍ତୀ ଗାଁ ପରିଦର୍ଶନ କରିଥିଲେ । ଏହି ଟିମରେ ମାନବାଧିକାର କର୍ମୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମଧ୍ୟ ସାମିଲ ଥିଲେ । ତେବେ ଏଭଳି ପରିସ୍ଥିତି ପାଇଁ ଦାମ ସରକାର ଏବଂ ପ୍ରଶାସନକୁ ଦାୟୀ କରିଛନ୍ତି । ଏମିତିକି ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଏଭଳି ଲୁଟତରାଜ ଚାଲିଥିବା ଦାମ ଅଭିଯୋଗ କରିଛନ୍ତି । ତୁରନ୍ତ ୱାଗନ ବ୍ଲାଷ୍ଟିଂ ବନ୍ଦ କରିବା ସହିତ ସମ୍ପୃକ୍ତ ଲୁଟେରା ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ସେ । ଏଥିସହିତ ଅଭିଯୁକ୍ତ ମାନଙ୍କ ଠାରୁ ସମସ୍ତ କ୍ଷୟକ୍ଷତି ଅସୁଲ କରିବା ପାଇଁ ମାନବାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଦାବୀ ଜଣାଇଛନ୍ତି ।
ଲୁଟ୍ ଚାଲିଛି କୋଟି କୋଟି ଟଙ୍କାର ଲଘୁ ଖଣିଜ । ପ୍ରକୃତି ଉପରେ ଚାଲିଛି ଧ୍ବଂସର ତାଣ୍ଡପ ଲୀଳା । ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଅନ୍ୟପଟେ ସରକାର ଏବଂ ପ୍ରଶାସନକୁ ଢାଲ କରି ଲୁଟି ଚାଲିଛନ୍ତି ଲୁଟେରା । ଧୂଳିଧୂଆଁର ବ୍ୟାପକ ପ୍ରଦୂଷଣ ସାଙ୍ଗକୁ ସମସ୍ତ ଜଳଉତ୍ସ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ କିଡିନୀ, ଯକ୍ଷ୍ମା ଆଦି ଭୟଙ୍କର ରୋଗର ଶୀକାର ହୋଇ ଅନାୟାସରେ ପ୍ରାଣ ହରାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜଣେ ସୂଚନା ଅଧିକାର କର୍ମୀ ଅଦାଲତର ଆଶ୍ରୟ ନେବା ସହିତ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ବାରମ୍ବାର ଏହାକୁ ବିରୋଧ ସତ୍ତ୍ବେ ସରକାର ନିରବଦ୍ରଷ୍ଟା ସାଜିଥିବା କୁହାଯାଇଛି । ନିକଟରେ ବେଆଇନ ବ୍ଲାଷ୍ଟିଂକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ପୋଲିସର ଲାଠି ମାଡ ଖାଇବା ସହିତ ଜେଲ ମଧ୍ୟ ଭୋଗିଲେ । ତେଣୁ ସରକାର କିମ୍ବା ପ୍ରଶାସନ ଏନେଇ କୌଣସି ଠୋସ୍ ପଦକ୍ଷେପ ନନେଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।
ବିନା ପରିବେଶ ମଞ୍ଜୁରୀରେ କୋଟି କୋଟି ଟଙ୍କାର କଳାପଥର ଚୋରାଚାଲାଣ କରି ମୁନାଫା କମାଉଛନ୍ତି ଲିଜଧାରୀ । ହେଲେ ସେମାନଙ୍କ ଠାରୁ ରାଜସ୍ବ ଆଦାୟ କରିବା ପରିବର୍ତ୍ତେ ସେମାନଙ୍କ ପ୍ରତି ଓଲଟା ଅନୁକମ୍ପା ଦେଖାଇବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।