ଖାଦାନରେ ଚଢ଼ଉ,୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

1156 0

ଯାଜପୁର: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି ଡଙ୍କାରୀ, ରାହଡ଼ପୁର, ଆରୁହା,ବିଛାଖଣ୍ଡି ପ୍ରଭୃତି ପାହାଡରେ ଚଢଉ କରି ୧୦କ୍ରସର୍ ଓ ଗୋଟିଏ ପିଚୁ ପ୍ଲାଣ୍ଟର ବ୍ୟାପକ ଅନିୟମିତାର ପର୍ଦ୍ଦାଫାସ କରିଛନ୍ତି। କ୍ରସରଗୁଡ଼ିକରେ ଗଚ୍ଛିତ ଥିବା ପ୍ରାୟ ୨ଲକ୍ଷ ଘନ ମିଟର ବିନାକାଗଜପତ୍ରର କଳାପଥର ତଦନ୍ତକାରୀ ଦଳ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ୬୦ଲକ୍ଷ ଟଙ୍କା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୭ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଧର୍ମଶାଳା ତହସିଲ ଦାୟିତ୍ବରେ ଥିବା ରସୁଲପୁର ତହସିଲଦାର ସରୋଜ ପଣ୍ଡା କ୍ରସର ମାଲିକଙ୍କୁ ନିର୍ଦେଶ ଦେଇଛନ୍ତି।
ତହସିଲଦାର ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଜେନାପୁର ଥାନାଧିକାରୀ ସୁଶାନ୍ତ ଦାଶଙ୍କ ସମେତ ରାଜସ୍ବ ବିଭାଗର ଡ଼ଙ୍କାରୀ ଆରଆଇ ମନୋଜ କୁମାର ସାମିଲ, ବଡ଼କାଏମାର ବରଞ୍ଚି ନାରାୟଣ ବୋଇତାଇ, ନାଗପୋଲର ଚନ୍ଦନ କୁମାର ସାହୁ, ଆରୁହାର ଜଗବନ୍ଧୁ ଜେନା ଓ ପୁଲିସ ଫୋର୍ସ ଆଜି ଅଚାନକ ଡଙ୍କାରୀ, ରାହାଡ଼ପୁର, ଆରୁହା, ବିଛାଖଣ୍ଡି ପ୍ରଭୃତି ପାହାଡ଼ ଉପରେ ଚଢଉ କରିଥିଲେ। ଚଢଉ ବେଳେ ବାବା କ୍ରସର୍ , ଏନକେସି କ୍ରସର୍, ସିଆଇଏଲ୍ କ୍ରସର୍, ଏଆର୍ଏସଏସ୍ କ୍ରସର୍, ଏସଟି ମିନେରାଲ୍, ସାଇ ଶ୍ୟାମ କ୍ରସର୍, ମା ଚଣ୍ଡି ମିନେରାଲ, ଏମଏମ ଇନପ୍ରାଂ କ୍ରସର୍, ସମ୍ପାରୁ କ୍ରସର ରେ ପ୍ରାୟ ୨ଲକ୍ଷ ଘନ ମିଟର କଳାପଥର ବେଆଇନ୍ ଭାବେ ଗଚ୍ଛିତ ଥିବା ଜଣାପଡିଛି। ଯାହାର ଆବଶ୍ୟକ କାଗଜପତ୍ର ସଂପୃକ୍ତ କ୍ରସରର ମାଲିକ ଆଜି ଦର୍ଶାଇ ପାରିନାହାନ୍ତି। ଘନ ମିଟର ୧୩୦ ଟଙ୍କା ହିସାବରେ ପ୍ରାୟ ୨କୋଟି ୬୦ଲକ୍ଷ ଟଙ୍କାର ଏହି ପଥର ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।
ରାହାଡ଼ପୁର ରୁ ମଧ୍ୟ ୩ଟି ହାଇୱା (ଓଡ଼ି ୩୩ପି ୪୭୯୭, ଓଡି ୧୯ସି୯୮୪୫ ,ଓଆର ୦୪ଏନ୍ ୪୭୮୫) ଜବତ କରାଯାଇଛି। ଏଥି ସହିତ ପିଚୁ ପ୍ଲାଣ୍ଟରେ ଚଢଉ କରାଯାଇଥିଲା । ଏଠାରେ ମଧ୍ୟ ବ୍ୟାପକ ଅନିୟମିତତାର ସୁରାଗ ମିଳିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏପରିକି ଆବଶ୍ୟକ ହେଲେ କ୍ଲୋଜର ନୋଟିସ୍ ଜାରି ହେବ ବୋଲି ସୂଚନା ଦେଇଛନ୍ତି।
ସେହିପରି ରାହାଡ଼ପୁର ୧୦ନମ୍ବର ଖଣି ବନ୍ଦ ହୋଇଯାଇଥିଲେ ହେଁ ବ୍ୟାପକ ଚୋରା ପଥର ଚାଲାଣ ହେଉଛି ବୋଲି ଆଜି ଚଢାଉ ବେଳେ ଧରାପଡ଼ିଛି। ସେଠାରେ ୧୪୪ ଜାରି କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି । ଆଜିର ଚଢାଉ ପରେ ପୁଣି ବେଆଇନ୍ କ୍ରସର ଗୁଡ଼ିକର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଚୋରା କଳାପଥର କାରବାର କରୁଥିବା ପଥର ବ୍ୟବସାୟୀ ଓ କ୍ରସର ମାଲିକ ପୁଣି ଅଧିକାରୀଙ୍କୁ ମୂଲଚାଲ କରିବାର ଆରମ୍ଭ କରି ଦେଇଛନ୍ତି। ମଝିରେ ମଝିରେ ଚଢଉ ହେଉଥିବା ସୁଯୋଗରେ ମଧ୍ୟ କେତେକ ରାଜସ୍ବ ଅଧିକାରୀ, ପୁଲିସ ଓ ଜଙ୍ଗଲ ବିଭାଗ ଓ ପ୍ରଦୂଷଣ ବିଭାଗ ବେଶ ମାଲାମାଲ ହେଉଛନ୍ତି। ଅଥଚ ବେଆଇନ୍ କାରବାର ବନ୍ଦ କରିବା କିମ୍ବା ଆଇନ୍ ଅନୁଯାଇ କ୍ରସରକୁ ଅନୁମତି ଦେବା କ୍ଷେତ୍ରରେ ପ୍ରଶାସକମାନେ ଠୋସ ପଦକ୍ଷେପ ନେବାକୁ ଟାଳଟୁଳ ନୀତି ଗ୍ରହଣ କରି ଚାଲିଛନ୍ତି। ପ୍ରଶାସନର ଏହି ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Post

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବୀ ରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ୫ ଟି ପଞ୍ଚାୟତର ଅଧିବାସୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ପାଞ୍ଚୋଟି ପଞ୍ଚାୟତ ମାନେଶ୍ୱର, ଗୁଣ୍ଡେରପୁର, ମଠପାଲି, ସିନ୍ଦୁରପଙ୍କ, ଠେମରା ପଞ୍ଚାୟତ ର ଲୋକେ ଘେରିଥିଲେ ମାନେଶ୍ୱର ତହସିଲ କାର୍ଯ୍ୟାଳୟ…

ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଲାଇନ୍‌ମ୍ୟାନ ସଂଘର ବିରୋଧ ଲାଇନ୍‌ମ୍ୟାନ ଦିବସରେ ଲାଇନ୍‌ମ୍ୟାନଙ୍କ ବିକ୍ଷୋଭ

Posted by - March 5, 2023 0
ଯାଜପୁର ଟାଉନ: ଯାଜପୁର ଦଶରଥପୁର ବ୍ଲକ ଲାଇନ୍‌ମ୍ୟାନ ସଂଘ ଆହ୍ୱାନକ୍ରମେ ଟାଟା ପାୱାର ଦ୍ୱାରା ପାଳିତ ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଯାଜପୁର ପାୱର ଏମ୍ପ୍ଲଇଜ୍ ୟୁନିୟନ୍ ବିରୋଧ…

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ

Posted by - January 30, 2019 64
ବିଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ…

Leave a comment

Your email address will not be published.