ଭୁବନେଶ୍ବର :ହକି ବିଶ୍ବକପ୍ ପୂର୍ବରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଛାତି ଫୁଲାଇ କହିଲେ ଏଣିକି ରାଜଧାନୀରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ, ଟ୍ରାଫିକ ଡାଇଭର୍ଟ କରିବାକୁ ହେଲେ ବା ସର୍ବସାଧାରଣ ସୂଚନା ହଠାତ୍ ଦେବାକୁ ଥିଲେ ତତ୍କ୍ଷଣାତ୍ ଲୋକଙ୍କ ପାଖରେ ସୂଚନା ପହଞ୍ଚିଯିବ। ଏଥିପାଇଁ ୭ଟି ଛକରେ ମାଇକ୍ ଲଗାଇ ପ୍ରଚାର କରାଯିବ। ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ଏହି ବ୍ୟବସ୍ଥା ରହିବ। ଏଠାରେ ମାଇକ୍ରୋଫୋନ୍, ଲାଉଡ୍ ସ୍ପିକର୍, ଆମ୍ପ୍ଲିଫାୟାର ରହିଛି। ଏହି ସବୁ ସ୍ଥାନରେ ଏହା ବି ଲାଗିଛି। ଆଜି ଜନପଥରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲେ ବି ବିଓସି ପକ୍ଷରୁ ଏହାକୁ ବ୍ୟବହାର କରାଯାଇ ନଥିଲା। ଲୋକଙ୍କୁ ଆଗୁଆ ସଚେତନ କରା ନଯିବାରୁ ଭିଡ଼ରେ ଫସିଲେ। କିନ୍ତୁ ନିୟମ କରିଥିବା ଅଧିକାରୀ ଏସବୁ ବିଷୟରେ ଅଜ୍ଞ ଥିଲେ। ବୋଧହୁଏ କର୍ତ୍ତୃପକ୍ଷଙ୍କ ଏହା ଜରୁରୀକାଳୀନ ପରିସ୍ଥିତି ନଥିଲା କି ଅସମ୍ଭାଳ ଭିଡ଼ ଜମି ନଥିଲା।ରାଜଧାନୀରେ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ସବୁକୁ ଠିକଣା ଢଙ୍ଗରେ ମୁକାବିଲା କରିବା ପାଇଁ ଏହି ସବୁ ଯୋଜନା ହୋଇଛି ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ କହୁଥିଲେ। କିନ୍ତୁ ଆଜିର ଘଟଣା ପରେ ଏହା ସବୁ ପ୍ରହେଳିକା ବୋଲି ପ୍ରମାଣିତ ହୋଇଛି। ଭିଡ଼ରେ ଫସି ଜଣେ କୁନି ଶିଶୁର ଜୀବନ ଚାଲିଗଲା, ହଜାରହଜାର ଲୋକ ପ୍ରାୟ ସାଢ଼େ ୩ଘଣ୍ଟା ଭିଡ଼ରେ ଫସିଗଲେ। କିନ୍ତୁ ସ୍ମାର୍ଟ ସିଟି ଯୋଜନା କାମ କଲାନି।
ରାଜଧାନୀର ଭିଡ଼କୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଛି ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍ ବ୍ୟବସ୍ଥା। ଏଥିରେ କେବଳ ଟ୍ରାଫିକ୍ ସିଗନାଲ୍ ସ୍ବୟଂଚାଳିତ ହୋଇନି ବରଂ ଟ୍ରାଫିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ଦୁଇ ମାସ ହେଲା ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା କର୍ତ୍ତୃପକ୍ଷ କହୁଥିଲେ ହେଁ ଏହା କେଉଁ କାମରେ ଲାଗୁଛି ତାହା କେହି ଜାଣିପାରୁନାହାନ୍ତି।