ଭୁବନେଶ୍ବର :ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା କହିଛନ୍ତି।ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିଛି। ଗ୍ରୀନ୍ ଜୋନ୍ରେ ଚାଲିବାକୁ ଥିବା ବସ୍ର ଭଡ଼ା ଦ୍ୱିଗୁଣିତ ହେବ। ଯେହେତୁ ୫୦ ପ୍ରତିଶତ ଲୋକ ବସ୍ରେ ଯାତାୟତ କରିବେ ତେଣୁ ବସ୍ ମାଲିକଙ୍କ ଭରଣା ପାଇଁ ଏପରି ଭଡ଼ାକୁ ବଢ଼ା ଯାଇପାରେ। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ରେ ଥିଲା ଯାହା ଏବେ ରେଡ୍ ଜୋନ୍ ହୋଇଛି।
ସେହିପରି କିଛି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସେଠି ରେଡ୍ ଜୋନ୍ ଭଳି ନିୟମ କାର୍ଯ୍ୟକାରୀ ହୋଇଛି। ତେଣୁ ବସ୍ ଚଳାଚଳ କରିବାରେ ଏବେ ଅସୁବିଧା ଉପୁଜିଛି। ଏନେଇ ଦିନେ ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।ବସ୍ଗୁଡ଼ିକ କିପରି ଚାଲିବ, ଭଡ଼ା କେତେ ହେବ ସେ ନେଇ ପରିବହନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗ୍ରୀନ୍ ଜୋନ୍ରେ ଚାଲିବାକୁ ଥିବା ବସ୍ ଭଡ଼ା ଦ୍ୱିଗୁଣିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ବସ୍ରେ ଅଧା ଯାତ୍ରୀ ଯାତାୟାତ କରିବେ। ଏଥିଯୋଗୁ ଘରୋଇ ବସ୍ ମାଲିକମାନଙ୍କର କ୍ଷତି ହେବାର ସମ୍ଭାବନା ରହିଛି। ସେମାନଙ୍କର ଯେପରି କ୍ଷତି ନ ହେବ ସେଥିପାଇଁ ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ କେତେକ ଜିଲା ଗ୍ରୀନ୍ ଜୋନ୍ରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ସେଗୁଡ଼ିକ ରେଡ୍ ଜୋନ୍ ପରିସରଭୁକ୍ତ ହୋଇଛି। ଏପରି ସ୍ଥଳେ ବସ୍ ଚଳାଚଳ କରିବା ନେଇ ବାଧା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଯେଉଁ ବସ୍ ମାଲିକମାନେ ଏହା ସହିତ ଏକମତ ହେବେ ସେମାନେ ବସ୍ ଚଲାଇବେ।