ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କରୋନା ଭୟରେ ଲୋକମାନଙ୍କ ମଧ୍ୟରେ ହଜି ଯାଉଛି ମଣିଷ ପଣିଆ । କରୋନା ଏବେ ମଣିଷ ମଣିଷ ଭିତରେ ଦୂରତାକୁ ମଧ୍ୟ ବଡାଇଦେଉଛି । ଯିଏ ଦିନେ ମିଳିମିଶି ଏକାଠି ଖାଉଥିଲେ, ପରସ୍ପର ଭଲମନ୍ଦରେ ସହାୟତାର ହତା ବଡାଉଥିଲେ । ଏବେ କିନ୍ତୁ କରୋନା ଭୟ ଏସବୁକୁ ଚୁରମାର କରିଦେଇଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡନିକଟସ୍ଥ ବାସୁଦେବପୁରରେ ।
ସେଠାରେ ଭାଡା ଘରେ ରହୁଥିବା ଜଣେ ଡାଇବେଟିସ ରୋଗରେ ପୀଡିତ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ନାୟକଙ୍କ ୨୭ ତାରିଖରେ ରାତିରେ ହୃଦଯନ୍ତ୍ରଣା ହୋଇଥିଲା । ପରିବାରର ବଡପୁଅ ପାରଳାଖେମୁଣ୍ଡିରେ ଚାକିରି କରନ୍ତି । ଘରେ ରବିନ୍ଦ୍ର, ତାଙ୍କ ପତ୍ନୀ ଓ ଝିଅ ସମନ୍ୱିତା ନାୟକ । ତେବେ ରାତିରେ ରବିନ୍ଦ୍ରଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଝିଅ ଆମ୍ବୁଲାନସକୁ ଫୋନ କରିଥିଲେ ଆମ୍ବୁଲାନ୍ସ ନଆସିବାରୁ ଘରମାଲିକଙ୍କୁ ଗାଡି ଦେବା ପାଇଁ କହିଥିଲେ ।
ହେଲେ ଘରମାଲିକ ଏଥିରେ ରାଜି ନହେବାରୁ ଶେଷରେ ଓଲା ଗଡିକୁ ଫୋନ କରି ଡକାଇବା ସହ ବାପାଙ୍କୁ ନେଇ ମେଡିକାଲ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ଫେରାଇଦେଇଥିଲେ । ପରେ ଆଉ ଏକ ପ୍ରାଇଭେଟ ହସପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ନର୍ସ ତାଙ୍କୁ ପେନ କିଲର ଦେଇ ଛାଡି ଦେଇଥିଲେ । ଏହାପରେ ତାଙ୍କୁ ସିଟି ହସପିଟାଲ ନେବା ବାଟରେ ମୃତ୍ୟୁ ଘଟିଥିଲା ।
ତେବେ ଡାକ୍ତର ଯଦି ଠିକ୍ ସମୟରେ ତାଙ୍କ ବାପାଙ୍କ ଚିକିତ୍ସା କରିଥାନ୍ତେ ତେବେ ସେ ଆଜି ସେମାନଙ୍କ ପାଖରେ ଥାଆନ୍ତେ ବୋଲି ଝିଅ ସମନ୍ୱିତା କୋହଭରା କଣ୍ଠରେ କହିଛନ୍ତି । ଏତିକିରେ ଦୁଃଖ ସରିଲା ନାହିଁ ରାତି ୨ଟାରେ ବାପାର ଶବକୁ ନେଇ ନିଜ ଭଡା ଘରକୁ ଫେରିବା ଘରମାଲିକ ଘରେ ପୁରାଇବାକୁ ମନା କରିଥିଲେ ରାତିଟାଏ ପୁଅ ଆସିବା ପର୍ଯ୍ୟନ୍ତ ରାତିଟିଏ ଗ୍ୟାରେଜରେ ରହିବାକୁ ଏମାନେ କାକୁତି ମିନତି ହୋଇଥିଲେ ମଧ୍ୟ ଘର ମାଲିକ କିଛି ଶୁଣି ନଥିଲେ ।
ଫଳରେ ବାଧ୍ୟ ହୋଇ ଶବକୁ ଧରି ନିଜ ବନ୍ଧୁ ବାନ୍ଧବଙ୍କ ସହ ରାସ୍ତା କଡରେ ବସିଥିଲେ ସକାଳ ହେବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଆସିବା ବିଳମ୍ବ ହେବାରୁ ଝିଅ ବାପାଙ୍କ ଚିତାରେ ମୁଖାଗ୍ନି ଦେଇଥିଲା । ଅନ୍ତିମ ସଂସ୍କାର ପରେ ପୁଅ ଆସି ପହଁଚିବା ପରେ ସମସ୍ତେ ଏବେ ଯାଜପୁର ଅମ୍ବିକାଇ ସ୍ଥିତ ବାପାଙ୍କ ପୈତୃକ ଘରେ ଆସି ରହିଛନ୍ତି । ଏଭଳି ଘଟଣା ମନୁଷ୍ୟ ଜାତି ମଧ୍ୟରେ ଏକ କଳଙ୍କିତ ଅଧୟାୟ ସୃଷ୍ଟି କରିଛି ।