ଭୁବନେଶ୍ବର: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍ ଶକ୍ତି ମହାସମାବେଶ କରି ମହିଳା କାର୍ଡ ଖେଳିଥିବା ବେଳେ, ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି।କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନେଇ ଅନେକ ଯୋଜନା କରୁଛନ୍ତି । କିନ୍ତୁ ଓଡିଶା ସରକାର କେନ୍ଦ୍ରର ଯୋଜନାକୁ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଶିକ୍ଷା, ସ୍ୱାସ୍ଥ୍ୟ ସମେତ ମହିଳାଙ୍କୁ ସୁରକ୍ଷା ଦେବାରେ ଓଡିଶା ପଛରେ ରହିଥିବା ସେ ପ୍ରକାଶ କରିଛନ୍ତି। ଏଥି ସହ ସେ ପିପିଲି ପୀଡ଼ିତାଙ୍କ ପ୍ରସଙ୍ଗକୁ ପରୋକ୍ଷ ଭାବେ ସାମ୍ନାକୁ ଆଣି ପୁରୀର ଝିଅକୁ ନ୍ୟାୟ ମିଳିଲା ନାହିଁ ବୋଲି କହିଥିଲେ।
ଆଜି ଗୋଟିଏ ଦିନରେ ଦୁଇଟି ରାଜନୈତିକ ସଭା ରାଜ୍ୟ ରାଜନୀତିରେ ଚହଳ ପକାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ମହିଳା ସଶକ୍ତିକରଣ କିମ୍ବା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବଡ ଘୋଷଣା କରିଛନ୍ତି । ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉତ୍ତର ଦେଇଛନ୍ତି। ନବୀନ କହିଛନ୍ତି, ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ଅନୁଧ୍ୟାନ କରୁଛୁ। ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳତାକୁ ମୋଦି ଟାର୍ଗେଟ କରିଥିଲେ।
