ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି । ସମସ୍ତ ୫ ସଂକ୍ରମିତ ନିକଟରେ କଲିକତାରୁ ଆସିଥିଲେ । ସେମାନଙ୍କ ମଧ୍ୟରେ କେତେକ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ । ସେଥିପାଇଁ ସେହି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଙ୍କୁ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ଯାଜପୁର ମୁଖ୍ୟ ଡାକ୍ତରଖାନାର ୩ ଜଣ ଡାକ୍ତର ଏବଂ ୧୯ ଜଣ ପାରାମେଡିକାଲ କର୍ମଚାରୀ ଏବଂ ନର୍ସ ମାନଙ୍କୁ କ୍ୱାରେଟିଂନରେ ରଖାଯାଇଛି ବୋଲି ଯାଜପୁର ଜିଲାପାଳ ଆଜି ସୂଚନା ଦେଇଛନ୍ତି । ଯାଜପୁର ଜିଲାରୁ ବର୍ତମାନ ସୁଦ୍ଧା କେବଳ ୭୦୦ ଜଣ କଲିକତାରୁ ଆସିଥିବା ପଂଜିକରଣ କରାଯାଇଥିବା ବେଳେ ଏହାର ସଂଖ୍ୟା ଅଧିକ ହେବାର ଆଶା କରାଯାଉଛି ।
ସେଥିପାଇଁ ଯାଜପୁର ଜିଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଜିଲ୍ଲାର ୩ଟି ବ୍ଲକର ୭ଟି ପଂଚାୟତର ୧୩ଟି ଗାଁ କୁ କଂଟେନମେଂଟ ଜୋନ ଭାବେ ଘୋଷଣା କରି ସଂପୃକ୍ତ ଅଂଚଳରେ ସାନିଟାଇଜ କରାଯାଉଛି । ସଂକ୍ରମିତଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ମାନଙ୍କର ନମୂନା ସଂଗ୍ରହ କରାଯିବା ସହିତ କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ବାହାରୁ ବିଶେଷ କରି କଲିକତାରୁ ଆସିଥିବା ଲୋକଙ୍କୁ ଠାବ କରିବା ଓ ସେମାନଙ୍କୁ ସରକାରୀ କ୍ୱାରେଂଟିନରେ ରଖିବାକୁ ଜିଲା ପ୍ରଶାସନ ପ୍ରକ୍ରିିୟା ଆରମ୍ଭ କରିଛି । ସରପଂଚ,ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବିଡିଓ ମାନଙ୍କୁ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଠାବ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।