ତାଳଚେର:(ମହେଶ ଭୋମରାଜ) – ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ଦେଖି ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ୩୫ଟି କୋଭିଡ-୧୯ ଡାକ୍ତରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲାର ତାଳଚେର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସପିଟାଲରେ ଏକ କୋଭିଡ -୧୯ ଡାକ୍ତରଖାନା ଆଜି ଉଦଘାଟିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି l
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ମଧ୍ୟ ଭିଡିଓ କନଫରେନସିଂ ରେ ଯୋଗ ଦେଇଥିଲେ l ତେବେ ଏହି ହସପିଟାଲ ଉଦଘାଟନ ପୂର୍ବରୁ ଆଜି ଏମସିଏଲ, ସମ ହସ୍ପିଟାଲ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ-୧୯ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା l ରାଜ୍ୟର ଏହି ଅଗ୍ରଣୀ ଡାକ୍ତରଖାନାରେ କରୋନା ମୁକାବିଲା ପାଇଁ ୧୫୦ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯିବା ସହ ୬ ଟି ଆଇ.ସି.ୟୁ ଶଯ୍ୟା ରହିଛି l
ଆଜି ହସପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ା.ଅଶୋକ ମହାପାତ୍ର, ପ୍ରଫେସର ଡ଼ା ଈଶ୍ୱର ଚନ୍ଦ୍ର ବେହେରା, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ସେଣ୍ଟ୍ରାଲ ହସପିଟାଲ ସି ଏମ ଏସ ଡା଼ ମନୋଜ ବେହେରା , ଜଗନ୍ନାଥ କ୍ଷେତ୍ର ଜିଏମ ଏମ.ଜି. ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମସିଏଲ କର୍ତ୍ତୃପକ୍ଷ, ସମ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l ଏହି ଡାକ୍ତରଖାନା ଏମସିଏଲ ଅନୁଦାନରେ ନିର୍ମିତ ଏବଂ ସମ ହସପିଟାଲ ଏହାକୁ ପରିଚାଳନା କରିବ l ପୂର୍ବରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି.କେ.ପାଣ୍ଡିଆନ ଏଠାରେ ପହଞ୍ଚି ଡାକ୍ତର ଖାନା ପରିଦର୍ଶନ କରିଥିଲେ