ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ମୋ ସାଇକେଲ୍ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।କିନ୍ତୁ କର୍ତ୍ତୃପକ୍ଷ ଯେତିକି ସ୍ମାର୍ଟ ଦେଖାଉଛନ୍ତି ରାଜଧାନୀର କିଛି ଲୋକ ତାହାଠାରୁ ଅଧିକ ସ୍ମାର୍ଟ ବୋଲି ପ୍ରମାଣିତ କରିଦେଇଛନ୍ତି। ସେମାନେ କିପରି ସହଜରେ ଠକେଇ କରି ମାଗଣାରେ ସାଇକେଲ୍ ଚଳାଇପାରିବେ ତା’ର ସୁଚିନ୍ତିତ ରାସ୍ତା ବାହାର କରିଛନ୍ତି। ପ୍ରତିଦିନ ମାଗଣାରେ କିପରି ମୋ ସାଇକେଲ୍ ଚଲାଇବେ, ଯେଉଁଠି ଇଚ୍ଛା ସେଠାରେ ରଖିବେ, ଯେଉଁ ସାଇକେଲ୍ ଗନ୍ତବ୍ୟସ୍ଥଳକୁ ନେଇକି ଯିବେ ସେହି ସାଇକେଲ୍ରେ ଘରକୁ ଫେରିବେ ସେଥିପାଇଁ ଅଭିନବ ଉପାୟ ଆପଣାଇଛନ୍ତି ରାଜଧାନୀର କିଛି ବାସିନ୍ଦା। ମୋ ସାଇକେଲ୍ କେହି ବୁକିଂ କରି ନଥିଲେ ତାହା ସ୍ବତଃ ଲକ୍ ହୋଇଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ସାଇକେଲ୍ରେ ସ୍ମାର୍ଟ ଲକ୍ ଏବଂ ଜିପିଏସ୍ ସଂଯୋଗ ହୋଇଛି। େହଲେ ରାଜଧାନୀର କିଛି ଲୋକ ଲକ୍ ହେଉଥିବା ରଡ୍ଟିକୁ ସୂତୁଲିରେ ବାନ୍ଧି ସାଇକେଲ୍କୁ ସଂପୂର୍ଣ୍ଣ ଭାବେ ଅନଲକ୍ କରିଦେଇଛନ୍ତି। ସାଇକେଲ୍କୁ ଯେତେବେଳେ ଯେଉଁଠିକୁ ପାରୁଛନ୍ତି ନେଉଛନ୍ତି। ସାଲିଆ ସାହି, କାରଗିଲ୍ ବସ୍ତି ସମେତ ବିଭିନ୍ନ ଅଞ୍ଚଳରେ ଏବେ କିଛି ଲୋକ ଏହି ଉପାୟ ଆପଣାଇଛନ୍ତି। ପ୍ରତିଦିନ ସାଇକେଲ୍ ଚଳାଉଛନ୍ତି, ରାତିରେ ଘରେ ସାଇକେଲ୍ ବି ରଖୁଛନ୍ତି ହେଲେ ଟଙ୍କାଟେ ଦେଉନାହାନ୍ତି। ସାଇକେଲ୍ ଯୋଗାଉଥିବା ତିନିଟି ସଂସ୍ଥା କର୍ତ୍ତୃପକ୍ଷଙ୍କ ପାଖରେ ବି ଏନେଇ ଖବର ନାହିଁ। ସାଇକେଲ୍ କୁଆଡ଼େ ଯିବ, କେଉଁ ନମ୍ବର୍ରେ ବୁକିଂ ହେଲା ତା’ର ସବିଶେଷ ତଥ୍ୟ ଡାଟାବେସ୍ରେ ରହିବ ବୋଲି କର୍ତ୍ତୃପକ୍ଷ କହୁଥିଲେ ହେଁ ଏହା କାମ କରୁଛି କି ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ଯଦି କାମ କରୁଛି ତେବେ ପ୍ରାୟ ସପ୍ତାହେ ହେଲାଣି କର୍ତ୍ତୃପକ୍ଷ କିପରି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ ଉଠିଲାଣି।
ଏହିଭଳି ସାଇେକଲ୍ ଲକ୍କୁ ସୂତୁଲିରେ ବାନ୍ଧି ଚଳାଉଥିବା ଜୟଦେବ ବିହାର ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି ଯେ, ମୋର ସ୍ମାର୍ଟ ଫୋନ୍ ନାହିଁ। ଜଣେ ଲୋକଙ୍କୁ କହିଲି ସାଇକେଲ୍ ଅନଲକ୍ କରିଦେବାକୁ। ଅଧଘଣ୍ଟା ପାଇଁ ବୁକିଂ କଲି ଆଉ ସେହି ଲୋକଙ୍କୁ ୫ଟଙ୍କା ଦେଇଦେଲି। ଏହାପରେ ଲକ୍କୁ ସୂତୁଲିରେ ବାନ୍ଧି ଚଳାଉଛି। ସକାଳେ କାମକୁ ସାଇକେଲ୍ ନେଇ ଯାଉଛି। ସାଇଟ୍ ଉପରେ ସାଇକେଲ୍ ରଖି କାମ କରୁଛି। ଆଉ ସଞ୍ଜ ହେଲେ ସାଇକେଲ୍ ଆଣି ଘରେ ରଖି ଦେଉଛି। ଏ ସାଇକେଲ୍େର ଲିକ୍ ଭୟ ନାହିଁ କି ଖରାପ ହେଲେ ସଜାଡ଼ିବାରା ଭୟ ନାହିଁ। ଯଦି ଖରାପ ହେଲା ସାଇକେଲ୍ ରଖିକି ଆଉ ଗୋଟେ ସାଇକେଲ୍ ନେଇଯିବି। ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ମୁଁ ପ୍ରଥମେ ବୁକିଂ କରି ସାଇକେଲ୍ ଚଳାଇଲି। ଅଧ ଘଣ୍ଟା ପରେ ଅଫରାଇଡ୍ କରିଦେଲି। ଏହା ପୂର୍ବରୁ କିନ୍ତୁ ସୂତୁଲିରେ ଲକ୍ ରଡ୍କୁ ସିଟ୍ ରଡ୍ରେ ବାନ୍ଧିଦେଲି। ଅନଲାଇନ୍ରେ ମୋ ବୁକିଂ କଟିଗଲା। କିନ୍ତୁ ସାଇକେଲ୍ ଲକ୍ ହେଲାନି। ସାଇକେଲ୍ ଏବେ ସବୁଦିନ ମାଗଣା ଚଲାଉଛି। ଯଦି କିଏ କ’ଣ କହିବେ ସାଇକେଲ୍ ଫେରାଇ ଦେବି। ‘ମୋ ସାଇକେଲ୍’କୁ ନିଆରା ତରିକାରେ ଅନଲକ୍ କରି ଲୋକ ବ୍ୟବହାର କରୁଥିବା ନେଇ କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ୨୪ଘଣ୍ଟା ତଳେ ଜଣାଇଥିଲୁ। କିନ୍ତୁ କର୍ତ୍ତୃପକ୍ଷ ଏହାର କିଛି ସ୍ପଷ୍ଟ କାରଣ ପାଇଲେନି କି କେଉଁ ସାଇକେଲ୍ ଏପରି ହୋଇଛି ଜାଣିପାରିଲେନି। ଏନେଇ କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ସବୁ ସାଇକେଲ୍ ବୁକିଂ ହେଲା ପରେ ଗଡ଼ୁଛି। ଯେଉଁ ସାଇକେଲ୍ଗୁଡ଼ିକ ଅନଲକ୍ ହୋଇ ରହୁଛି ସେଥିପାଇଁ ବି ଅଧଘଣ୍ଟା ପିଛା ୫ଟଙ୍କା ହିସାବରେ ଟଙ୍କା କଟୁଛି। ରାତିରେ ସାଇକେଲ୍ ଘରେ ରଖିପାରିବାର ବ୍ୟବସ୍ଥା ଥିବାରୁ ଲୋକ ରଖୁଛନ୍ତି। ଏହି ସାଇକେଲ୍ ଆମର ଜିଓଫେନସିଂ ଅଞ୍ଚଳ ବାହାରକୁ ଯାଇ ନଥିବାରୁ ଚିନ୍ତାର ବିଷୟ ନୁହେଁ। ଖୁସିର କଥା ଯେ, ଅନ୍ୟ ଲୋକଙ୍କ ଭଳି ବସ୍ତି ବାସିନ୍ଦା ବି ମୋ ସାଇକେଲ୍ ବୁକିଂ କରି ଚଳାଉଛନ୍ତି। ଯାହା କିଛି ବି ସମସ୍ୟା ଅଛି ତୁରନ୍ତ ସମାଧାନ କରାଯିବ।
ସୂଚନାଯୋଗ୍ୟ ଯେ ଏବେ ରାଜଧାନୀରେ ତିନିଟି ସଂସ୍ଥା ପ୍ରାୟ ୬୫୦ଟି ସାଇକେଲ୍ ଚଳାଉଛନ୍ତି। ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଚଳାଉ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଯୋଗାଇଛନ୍ତି। ତିନିଟି ସଂସ୍ଥା ପକ୍ଷରୁ ପୃଥକ ପୃଥକ ମେମ୍ବରସିପ୍ ଫି’ ବି ରଖାଯାଇଛି। ୟାନା ଓ ହେକ୍ସିର ମେମ୍ବରସିପ୍ ଫି’ ମାସକୁ ୧୦୦ଟଙ୍କା ରଖାଯାଇଛି। ଏଥିରେ ସାଇକେଲ୍ ଚଳାଇଲେ ପ୍ରଥମ ଅଧ ଘଣ୍ଟା ମାଗଣା। ଏହାପରେ ପ୍ରତି ଅଧଘଣ୍ଟା ପାଇଁ ୫ଟଙ୍କା। ଏହା ମୋ ସାଇକେଲ୍ ଆପ୍ରେ ଥିବା ୱାଲେଟ୍ରୁ କଟିବ। ଏଥିରେ ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି। ସେହିପରି ୟୁଲୁର ମେମ୍ବରସିପ୍ ପାଇଁ ଦିନକ ମଧ୍ୟରେ ଯେତେ ସମୟ ସାଇକେଲ୍ ଚଳାଇଲେ ବି ଅଧଘଣ୍ଟା ମାଗଣା ହିସାବ କରାଯିବ। ତା’ପରେ ଅଧଘଣ୍ଟାକୁ ୫ଟଙ୍କା କଟୁଛି। ଏହାର େମମ୍ବରସିପ୍ ଫି’ ମାସକୁ ୧୪୯ଟଙ୍କା ରହିଛି।