ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ ୭ଦିନ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବା କଥା ଗତକାଲି ଘୋଷଣା ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି। ନମୁନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୩ଟି ଜୋନ୍ରେ ୧୩ଟି ଟିମ୍ ଗଠନ ହୋଇଛି। ପ୍ରତ୍ୟେକ ଟିମ୍ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ରହିବେ। ୧୩ଟି ଟିମ୍ ୨ଟି ସିଫ୍ଟରେ ସାମ୍ପଲ ସଂଗ୍ରହ କରିବେ। ସକାଳ ୮ଟାରୁ ଦିନ ୧୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ କାମ କରିବେ। ଏ ନେଇ ବିଏମ୍ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଗାମୀ ୭ଦିନ ମଧ୍ୟରେ ୫,୦୦୦ ନମୂନା ଟେଷ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର କରୋନାର ହଟ୍ସ୍ପଟ୍ ଭାବେ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୦୦୦ ନମୂନା ଟେଷ୍ଟ କରାଗଲେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ।ଟିମ୍ରେ ଡାକ୍ତର, ଶିକ୍ଷକ, ପୋଲିସ୍ ଓ ପରିମଳ କର୍ମଚାରୀ ସାମ୍ପଲ ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଭୁବନେଶ୍ୱରକୁ ନିରାପଦ କରିବା ସହ କରୋନା ନେଇ ଚିତ୍ର ସ୍ପଷ୍ଟ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଶାସନ ସଚିବ କହିଥିଲେ।ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ରହିଛନ୍ତି।