ଭୁବନେଶ୍ୱର: ୧୨/୪: କରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଲାଗୁକରାଯାଇଥିବା ପରି ପ୍ରେକ୍ଷୀରେ ସମସ୍ତ ର୍ଧାମିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ବାରଣ କରାଯାଇଛି । କେବଳ ବିଧିରକ୍ଷା ପାଇଁ ଜିଲ୍ଲାର ଧାର୍ମିକ ସ୍ଥଳ ମାନଙ୍କରେ ଜଣେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପୂଜାବିଧି ସଂପନ୍ନ ହେଉଛି । କୌଣସି ସାଧାରଣ ଦର୍ଶନ ବା ଅନ୍ୟ ପୂଜକ ମାନଙ୍କୁ ମଧ୍ୟ ପ୍ରବେଶ ନିଷେଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦେବ ପୀଠରେ ବାର୍ଷିକ ଆୟୋଜିତ ମେରୁ ଯାତ୍ରା, ମା’ମଙ୍ଗଳା, ମା’ ହିଙ୍ଗୁଳା ଇତ୍ୟାଦି ପର୍ବକୁ ସଂପୂର୍ଣ୍ଣବନ୍ଦ କରାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।
ପୂର୍ବ ବର୍ଷ ମାନଙ୍କ କଥା ଭିନ୍ନ । ଚଳିତ ବର୍ଷ ଯେହେତୁ କରୋନା ଭୂତାଣୁ ପାଇଁ ବିଭିନ୍ନ ପ୍ରତିବନ୍ଧକ ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି ତେଣୁ କୌଣସି ଠାରେ ପୂଜା, ମେଳା ମହୋତ୍ସବ ଆୟୋଜନ କରାଯିବ ନାହିଁ କିମ୍ବା ଜନଗହଳି ହେବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟକରି ଦେଇଛନ୍ତି । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀଦାସ ସ୍ପଷ୍ଟ କରି ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ଥିବା ଧାର୍ମିକ ପୀଠମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ଦାସ ସମସ୍ତ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।