ଭୁବନେଶ୍ବର:କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି।ଯାଜପୁର ଜିଲ୍ଲାର ପ୍ରମୁଖ ସହର, ବ୍ଲକଗୁଡ଼ିକର ସଦର ମହକୁମା ଓ କରୋନା ବ୍ୟାପିବାର ଆଶଙ୍କା ଥିବା କେତେକ ଅଞ୍ଚଳରେ ୪୮ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଥିଲା। ସାରାଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ଜନସାଧାରଣ ସଟ୍ଡାଉନ୍କୁ ସ୍ବତଃପ୍ରବୃତ୍ତ ସମର୍ଥନ କରୁଥିବାବେଳେ ୧୪ ଜଣ ଅମାନିଆ ପୁଲିସ୍ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କ ନାମରେ ୧୨ଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହା ସୋମବାର ରାତି ୮ଟାରେ ଶେଷ ହେବ। ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲିବ।
ମାତ୍ର ଲୋକମାନେ ଦୋକାନରେ ଭିଡ଼ ନ ଜମାଇବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ୭ ତାରିଖ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲାରହିବ। ନିୟମ ଉଲ୍ଲଘଂନ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଦୋକାନ ସିଲ୍ କରାଯିବା ସହ ଦୋକାନର ସମସ୍ତ ସମାଗ୍ରୀ ଜବତ କରାଯିବ। ଏହାଛଡା ଜରୁରୀ କାମ ନ ଥାଇ ଘରୁ ବାହାରିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରଖାଯିବ।ସେପଟେ ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲାବାସୀ । ନିଜ ଘରେ ରହି ସମୟ କାଟି ପ୍ରଶାସନର ନିଷ୍ପତି ମାନିଲେ କୋରୋନାକୁ ରୋକି ହେବ ବୋଲି ମତ ଦେଇଛନ୍ତି ।