ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ମୋଟ୍ କୋଭିଡ୍ ୧୯ ପଜିଟିଭ୍ ସଂଖ୍ୟା ୨୦ରେ ଛୁଇଁଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଥିବା ବେଳେ ଏବେ ଏହା ୨୦କୁ ବୃଦ୍ଧି ଘଟିଛି।20 କରୋନା ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବର୍ମିଖାଲରୁ 3 ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଯାଜପୁରରୁ ଜଣେ ଏବଂ ଭଦ୍ରକରୁ 2 ଜଣ ସାମିଲ। ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ପତ୍ନୀ, ଝିଅ ଓ ପଡୋଶୀ ସାମିଲ।ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି।
ଯାଜପୁରର ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରକରିବାକୁ ବି ନିଷ୍ପତ୍ତି ହୋଇଛି। ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜଣାଯାଇଛି। କରୋନା ସଂକ୍ରମିତ ଜଣକ ନୂଆଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜାଣିବା ପରେ ସାରା ଜିଲାରେ ଏବେ ଭୟର ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମିତ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି।