ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ ଘଟଣାର କାରଣ ଓ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି । ଦିନକୁ ଦିନ ବୃଦ୍ଧି ପାଉଥିବା ହତ୍ୟା ଘଟଣା କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଛି ।

ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୁଣ୍ଡ କଟା ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଭୁବନେଶ୍ବରର ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଛନ୍ତି । ତେବେ ମୃତ ଯୁବତୀଙ୍କୁ ତା’ର ପ୍ରେମିକ ମୁଣ୍ଡ କାଟି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।ମୃତ ଯୁବତୀ ଜଣକ ହେଲେ ସତ୍ୟବାଦୀ ଥାନା ଅଂଚଳର ସସ୍ମିତା ବିଶ୍ୱାଳ । ସସ୍ମିତାଙ୍କ ନିଖୋଜ ନେଇ ଗତ ୧୫ ତାରିଖରେ ତାଙ୍କ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ତାଙ୍କ ତଥାକଥିତ ପ୍ରେମିକ ଯୁଧିଷ୍ଟିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାଙ୍କୁ ହତ୍ୟା କରିଥିବା କଥା ପୁଲିସ ଆଗରେ ମାନିଥିଲା ଯୁଧିଷ୍ଟିର । କେବଳ ଏତିକି ନୁହେଁ, ପ୍ରେମିକାକୁ ହତ୍ୟା କଲା ତା’ର ଡେମୋ ମଧ୍ୟ ଦେଖାଇଛି ଅଭିଯୁକ୍ତ । ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ପୁଲିସ ଚନ୍ଦକା ଜଙ୍ଗଲରୁ ସସ୍ମିତାଙ୍କ ମୁଣ୍ଡ କଟା ମୃତଦେହ ଉଦ୍ଧାର କରିଛନ୍ତି