ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ।ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶବାସୀ ଏକଜୁଟ୍ ହୋଇ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ଓ ସମସ୍ତଙ୍କୁ ସଚେତନ କରିବାକୁ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଉଛି। ତେବେ ଓଡ଼ିଶାରେ ଏହାର ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି।