ଭୁବନେଶ୍ୱର, ୧୬।୩: ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସୋମବାର ଆୟୋଜିତ୍ ପ୍ରେସ୍ମିଟରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହା ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ୩୩ ବର୍ଷୀୟ ଯୁବକ ଇଟାଲୀରେ ଗବେଷଣା କରୁଥିବା ଜଣାପଡ଼ିଛି।ଏଥିସହ ବାଗ୍ଚୀ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି। ଆକ୍ରାନ୍ତ ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସୂଚନା ନ ମିଳିବା ପର୍ଯ୍ୟନ୍ତ ଖବର ପ୍ରସାରଣ ନ କରିବାକୁ ସେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଏହା ବ୍ରେକିଂ ନ୍ୟୁଜ୍ ସମୟ ନୁହେଁ, ବ୍ରେକିଂ ନେସ୍ ସମୟ।
ଏଭଳି ଖବର ପ୍ରସାରଣ କଲେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ସେ ଆହୁରି କହିଛନ୍ତି, ମିଡିଆ ସରକାରଙ୍କ ପାଇଁ ସବୁଠୁ ଶକ୍ତିଶାଳୀ ଯୋଗାଯୋଗ ମାଧ୍ୟମ। ଗଣମାଧ୍ୟମ ଏ ଘଟଣାକୁ ନେଇ ବେଶ୍ ସତର୍କତାର ସହିତ ଖବର ପରିବେଷଣ କରୁଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ କରନ୍ତୁନି।ଶ୍ରୀ ବାଗ୍ଚୀ କହିଛନ୍ତି, ଗଣମାଧ୍ୟମ ଦାୟିତ୍ୱ ସଂପନ୍ନ ଭାବେ ଖବର ପରିବେଷଣ କରନ୍ତୁ। ଚିକିତ୍ସା ବେଳେ ଭିଡିଓ କ୍ୟାମେରା ନେଇ ଗଲେ ଚିକିତ୍ସା ସେବା ପ୍ରଭାବିତ ହେବ। କିଛି ଡିଜିଟାଲ୍ ମିଡିଆ ଆପାତକାଳୀନ ସମୟରେ ଦାୟିତ୍ୱବାନ ହୁଅନ୍ତୁ। ଏସବୁକୁ ନମାନିଲେ ଆଇନ ଅନୁସାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ।