ସମଗ୍ର ରାଜଧାନୀକୁ ଏବେ ଏହି ବିଷ ବ୍ୟାପୀ ଗଲାଣି। ରାଜଧାନୀର ଗଳିକନ୍ଦିରେ ମିଳିଲାଣି ବ୍ରାଉନସୁଗାର(ଧଳା ଜହର)। ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ଓ କ୍ୟୁଏଟି ଗିରଫ କରିଥିବା ବ୍ରାଉନସୁଗାର ବେପାରୀ ଆଜି ଜେଲ ଯାଇଛି। ତା ନାଁ ମହମ୍ମଦ ଅଜିତ। ଘର ଜଟଣୀ ଥାନା ଅଧୀନ ବେଣାପଞ୍ଜରୀରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଯଦୁପୁରରେ ରହୁଥିଲା। ପୁଲିସ ତା’ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସେ ୟୁନିଟ-୪ ମାର୍କେଟରେ ଏଭଳି ବେଆଇନ କାରବାର କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି କ୍ୟୁଏଟି ମୁଖ୍ୟ ଏସଆଇ ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି।ଏହି ସଂଘାତିକ ନିଶା ମାୟାରେ ଏବେ ଅନେକ ଉଚ୍ଚ-ଶିକ୍ଷିତ, ଶିକ୍ଷିତ ଓ ଅର୍ଧଶିକ୍ଷିତ ଯୁବକ। ନିଶା ସେବନ କରି ଅନେକଙ୍କ ଜୀବନ ଚାଲି ଯାଉଥିବା ବେଳେ ଆଉ କେତେକ ଦୁରାରୋଗ୍ୟ ରୋଗରେ ପୀଡ଼ିତ। କେତେକ ନିଶା ଖାଇ ପରିବାରଠାରୁ ଦୂରେଇ ଯାଇଥିବା ବେଳେ ଆଉ କେତେକ ଯୁବକ ନିଶା ସେବନ ପାଇଁ ଅପରାଧ ଜଗତରେ ପାଦ ଥାପି ସାରିଲେଣି।
ହଳଦୀପଡ଼ିଆ ବସ୍ତି ସମେତ ରାଜଧାନୀର ସାଲିଆସାହି, ରଘୁନାଥନଗର, ଡୁମୁଡୁମା, ପଳାଶୁଣୀ, ଚକେଇସିଆଣୀ, ଘାଟିକିଆ, ପୁରୁଣା ଭୁବନେଶ୍ବର, ଶ୍ୟାମପୁର, ଯାଁଳା, ଶିଖରଚଣ୍ଡୀ, ସତ୍ୟନଗର, ଶାନ୍ତିପଲ୍ଲୀ, ସୁନ୍ଦରପଦା, ବରମୁଣ୍ଡା ଏପରିକି ଭିଭିଆଇପି ଅଞ୍ଚଳ ଆଇଆରସି, ୟୁନିଟ-୪ ବିଧାୟକ କଲୋନି ନିକଟରେ ଏହି ନିଶା କାରବାର ଚାଲୁଛି। କମିସନରେଟ ପୁଲିସ ଓ ଅବକାରୀ ନିକଟରେ ଏନେଇ ଖବର ଥିଲେ ମଧ୍ୟ ଲୁଚାଛପାରେ ଏହି କାରବାର ଚାଲୁଛି। ପୁଲିସ କାଁ ଭାଁ ଚଢ଼ଉ କରି ୧୫ଗ୍ରାମରୁ ୩୦ଗ୍ରାମ ଭିତରେ ବ୍ରାଉନସୁଗାର ଜବତ କରୁଛି। କିନ୍ତୁ ବଡ଼ ବେପାରିଙ୍କ ପାଖରେ ପୁଲିସ ପହଞ୍ଚିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି। ଫଳରେ ଏହି କାରବାର ଦିନକୁ ଦିନ ରାଜଧାନୀରେ ବଢ଼ି ଚାଲିଛି।
ମହିଳାମାନେ ବି ସାମିଲ
ଏହି ମାରାତ୍ମକ ନିଶା କାରବାରରେ ଏବେ ଯୁବତୀ ଓ ମହିଳାମାନେ ସଂପୃକ୍ତ ରହୁଛନ୍ତି। ନିଶା ମାଫିଆମାନେ ଏମାନଙ୍କୁ ଢାଲ ଭଳି ବ୍ୟବହାର କରୁଛନ୍ତି। କାରଣ ହଠାତ ପୁଲିସ କିମ୍ବା ଅବକାରୀ ଚଢ଼ଉ କଲେ ଯୁବତୀ ଓ ମହିଳାମାନଙ୍କୁ ଯାଞ୍ଚ କରିବା ଅସମ୍ଭବ। ଏହାର ସୁଯୋଗ ନେଇ ସେମାନେ ସେମାନଙ୍କ ଅନ୍ତବସ୍ତ୍ର ଭିତରେ ବ୍ରାଉନସୁଗାର ଲୁଚାଇ ଦେଉଛନ୍ତି। ଗତ ମାସରେ ପୁରୁଣା ଭୁବନେଶ୍ବର ତିନି ମୁଣ୍ଡିଆ ଛକ, ଶ୍ରୀଲିଙ୍ଗରାଜ ଥାନା ପଛପଟ, ଖଣ୍ଡଗିରି ଧର୍ମବିହାର, ବରମୁଣ୍ଡାରେ ପୁଲିସ ଚଢ଼ଉ କରି ୪ଜଣ ମହିଳା ଓ ଦୁଇ ଜଣ ଯୁବତୀଙ୍କୁ ଏହି ନିଶା କାରବାର ଅଭିଯୋଗରେ ଗିରଫ କରିଥିଲା।
ରୁଜୁ ହେଲାଣି ୩୨ ମାମଲା
କମିସନରେଟ ପୁଲିସ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୨ଟି ବ୍ରାଉନସୁଗାର ଜନିତ ମାମଲା ରୁଜୁ କରିଥିବା ବେଳେ ୪୧ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୪ଶହ ଗ୍ରାମ ପାଖାପାଖି ବ୍ରାଉନସୁଗାର ଜବତ କରିଛି। ପୁଲିସ ଏହି ନିଶା ମାଫିଆମାନଙ୍କଠାରୁ ୨ ଲକ୍ଷ ୬୬ ହଜାର ଟଙ୍କା ଜବତ ମଧ୍ୟ କରିଛି। ୨୦୧୭ ମସିହାରେ ୩୨ଟି ବ୍ରାଉନସୁଗାର ଜନିତ ମାମଲା ରୁଜୁ ହୋଇଥିବା ବେଳେ ୩୨ ଜଣ ଗିରଫ ହୋଇଛନ୍ତି। ଆଉ ସେମାନଙ୍କ ନିକଟରୁ ଜବତ ହୋଇଛି ୩୨୦ ଗ୍ରାମର ବ୍ରାଉନସୁଗାର।
ନଭେମ୍ବରରେ ରେକର୍ଡ ଛୁଇଁଲା
ଚଳିତ ବର୍ଷ ନଭେମ୍ବର ମାସରେ ବ୍ରାଉନସୁଗାର କାରବାର କରୁଥିବା ମାଫିଆଙ୍କ ଉପରେ କୁଇକ ଆକ୍ସନ ଟିମ୍ ଭାରି ପଡ଼ିଛି। ଗତ ମାସରେ କୁଇକ ଆକ୍ସନ ଟିମ୍ ଜଟଣୀ, ଇନଫୋସିଟି, ମଞ୍ଚେଶ୍ବର, ନୂଆପଲ୍ଲୀ, ଖଣ୍ଡଗିରି, ଖାରବେଳନଗର ଥାନା ଅଧୀନରେ ଚାଲୁଥିବା ବ୍ରାଉନସୁଗାର ଆଡ଼ା ଉପରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିବା ସହ ୯୦ ଗ୍ରାମର ବ୍ରାଉନସୁଗାର, ପାଖାପାଖି ୩ଲକ୍ଷ ଟଙ୍କା, କାର୍, ବାଇକ ଆଦି ଜବତ କରିଛି। ସେହିପରି ଅବକାରୀ ସ୍କ୍ବାଡ୍ ମଧ୍ୟ ମଞ୍ଚେଶ୍ବର ଓ ବରମୁଣ୍ଡା ଓ ସାଲିଆସାହିରେ ଚଢ଼ଉ କରି ପାଖାପାଖି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ବାଂଲାଦେଶରୁ ବରମୁଣ୍ଡା ଭାୟା ବାଲେଶ୍ବର
କମିସନେରଟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବ୍ରାଉନସୁଗାର ବାଂଲାଦେଶରୁ କୋଲକାତା ହୋଇ ବାଲେଶ୍ବର ଆସୁଛି। ଏହା ପରେ ଛତିଆ, ବଡ଼ଚଣା ହୋଇ ବରମୁଣ୍ଡା ଓ ଖୋର୍ଧା ଆସୁଛି। ତା’ ପରେ ରାଜଧାନୀ ବିଭିନ୍ନ ସ୍ଥାନରେ ବସିଥିବା ନିଶା ବେପାରୀଙ୍କ ପାଖକୁ ଏହି ପାଉଡର୍ ଯୋଗାଣ ହେଉଛି।
Probably the most beneficial and simple video poker game to perform is Jacks or Greater, since
it is extremely simple to study and examine likelihood out of this game.